ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୩ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ କିମ୍ବା ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳାର ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି। ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଯେଉଁ ସରକାର ଓ ପ୍ରଶାସନ ଲୋକଙ୍କ କଥା ଶୁଣିବାର ପ୍ରତିଶ୍ରୁତି ଦେଇଛନ୍ତି, ସେହି ସରକାର ୧୨୩ ଦିନ ଧରି ଚାଲିଥିବା ଏକ ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ପ୍ରତି ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆବଶ୍ୟକ ସଂଳାପ କିମ୍ବା ପଦକ୍ଷେପ ଗ୍ରହଣ ନକରିବାରୁ ଅସନ୍ତୋଷ ବଢ଼ିଚାଲିଛି। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, “ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।” ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, କାହ୍ନୁଚରଣ ପ୍ରଧାନ, ଅଭିମନ୍ୟୁ ରାୟଗୁରୁ, ବିଭୁଦତ୍ତ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ଛବିରାଣୀ ମହାରଣା, ବନିତା ଦିକ୍ଷୀତ, କଳ୍ପନା ତ୍ରିପାଠୀ, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, ଗଦାଧର ମହାରଣା, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ନୀରବତା ଆମକୁ ନିରାଶ କରିଛି, କିନ୍ତୁ ଆମର ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହର ବିଷୟ ନୁହେଁ; ଏହା ସେମାନଙ୍କ ଐତିହାସିକ ଓ ପରମ୍ପରାଗତ ଅଧିକାର।

ସରକାର ଓ ପ୍ରଶାସନ ଏହି ଦାବିକୁ ଆଉ ବିଳମ୍ବ ନକରି ତୁରନ୍ତ ସମାଧାନ କରନ୍ତୁ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣ ଜାଗରଣ ଅବିରତ ଜାରି ରହିବ।
