ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ପରେ ବଢ଼ିଲା ଆମଦାନୀ ହେଉଥିବା ଖାଇବା ତେଲର ମୂଲ୍ୟ । ସପ୍ତାହରେ ବଢ଼ିଲା ହାରାହାରି ୧୦ ଟଙ୍କା । ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା। ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି। ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ। ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ। ରନ୍ଧନ ଗ୍ୟାସ ପରେ ଭାରି ପଡିଲା ଖାଇବା ତେଲ ଦରବୃଦ୍ଧି । ହାଣ୍ଡିଶାଳରେ ଉପରେ ମହଙ୍ଗାମାଡ଼ । ରିଫାଇନ୍ ଓ ପାମୋଲିନ ତେଲ ଲିଟର ପିଛା ହାରାହରି ୫ରୁ ୬ ଟଙ୍କା ବୃଦ୍ଧି । ଚିନ୍ତାରେ ଖାଉଟି । ଇରାନ ଆମେରିକା ଯୁଦ୍ଧର ସିଧାସଳଖ ପ୍ରଭାବ ପଡିଛି ଖାଇବା ତେଲ ଉପରେ । ରାଜ୍ୟରେ ବଢିଛି ଆମଦାନୀ ହେଉଥିବା ପାମୋଲିନ୍ ଏବଂ ରିଫାଇନ୍ ତେଲର ମୂଲ୍ୟ । ମାଲେସିଆ, ଇଣ୍ଡୋନେସିଆ ଭଳି ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ରରୁ ଭାରତକୁ ଆମଦାନୀ ହେଉଥିବା ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ଲିଟର ପିଛା ହାରାହାରି ୫ରୁ ୬ ଟଙ୍କା ବୃଦ୍ଧି ପାଇଛି । ଗତ ସପ୍ତାହରେ ରାଜ୍ୟରେ ପାମୋଲିନ୍ ତେଲ ଲିଟର ପିଛା ୧୪୦ ଟଙ୍କା ଥିବା ବେଳେ ଏବେ ତାହା ୧୪୫କୁ ବୃଦ୍ଧି ପାଇଛି । ଠିକ୍ ସେହିପରି ରିଫାଇନ ତେଲ ୧୬୦ ଟଙ୍କା ଥିବା ବେଳେ ତାହା ବଢି ୧୬୬ ଟଙ୍କା ହୋଇଛି । ଆଉ କିଛି ଜାଗାରେ ଖୁଚୁରା ବ୍ୟବସାୟୀମାନେ ଏହାକୁ ୧୭୦ ଟଙ୍କାରେ ବି ବିକ୍ରି କରୁଥିବା ଦେଖାଯାଇଛି । ଆଉ ଏସବୁର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ଏଭଳି ଦରବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଘରର ବଜେଟ ବିଗାଡିଦେବ ବୋଲି ଗୃହିଣୀମାନେ କହିଛନ୍ତି । ଖାଇବା ତେଲର ଦରବୃଦ୍ଧି ଯୋଗୁଁ କେବଳ ଯେ ଘରର ବଜେଟ ବିଗିଡି ଯାଇଛି ତାହା ନୁହେଁ । ପାମୋଲିନ୍ ଏବଂ ରିଫାଇନ୍ ତେଲ ଉପରେ ଛୋଟ ଛୋଟ ଜଳଖିଆ ଦୋକାନୀ ଏବଂ ହୋଟଲ ଗୁଡିକ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ । ତେବେ କଣ ପାଇଁ ଖାଇବା ତେଲ ବଢୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଛି । ଯୁଦ୍ଧ ସ୍ଥିତିକୁ ଦେଖି ବୀମା କଂପାନୀଗୁଡିକ ପରିବହନ କରୁଥିବା ଜାହାଜ ଗୁଡିକର ଇନସୁରାନ୍ସ କରୁନାହାନ୍ତି । ସେହିପରି ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହି ଦୁଇ ଦେଶରୁ ଭାରତକୁ ଖାଇବା ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଏଥିସହ ରମଜାନ ମାସ ଚାଲିଥିବାରୁ ମାଲେସିଆ, ଇଣ୍ଡୋନେସିଆରୁ ଯୋଗାଣ ହ୍ରାସ ପାଇଛି । ତାସହିତ ଲୋକମାନେ ଦରବୃଦ୍ଧି ଆଶଙ୍କାରେ ଅଧିକ ମାତ୍ରାରେ ତେଲ କିଣୁଥିବାରୁ ସଂକଟ ସ୍ଥିତି ଦେଖାଦେଇଛି । ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୨ଶହରୁ ୧୫ଶହ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ଏବେ ଯଥେଷ୍ଟ ସଂଖ୍ୟାରେ ଖାଇବା ତେଲ ଗଚ୍ଛିତ ଅଛି । ତେଣୁ ଭୟଭୀତ ହେବାର ଆଶଙ୍କା ନାହିଁ । ତେବେ ଅସାଧୁ କାରବାରକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମଦାନୀକାରୀ ସଂସ୍ଥା ଏବଂ ବ୍ୟବସାୟୀ ସଂଘଙ୍କ ସହ ଆଲୋଚନା କରିବା ଉଚିତ୍ । ତଥ୍ୟ ଅନୁସାରେ, ଭାରତ ପ୍ରତିବର୍ଷ ୧୬ ମିଲିୟନ୍ ଟନ୍ ଖାଇବା ତୈଳ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିଥାଏ । ଆଉ ଏହାର ୨୦ ପ୍ରତିଶତ ରୁଷିଆ, ୟୁକ୍ରେନ ଓ ଆର୍ଜେଣ୍ଟିନାରୁ ଆସିଥାଏ । କିନ୍ତୁ ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସମୁଦ୍ର ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି। ଘରୋଇ ଏଲପିଜି ସିଲିଣ୍ଡର ବୁକିଂର ସର୍ବନିମ୍ନ ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ଜଣେ ଉପଭୋକ୍ତା ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିବାର ଅଧିକାର ପାଉଥିଲେ। ଏବେ ଏହାକୁ ସରକାର ୨୫କୁ ବୃଦ୍ଧି କରି ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଲୋକମାନେ ଅଧିକ ମାତ୍ରାରେ ବୁକିଂ କରୁଛନ୍ତି। ଏହାଦ୍ୱାରା କଳାବଜାରୀ ବଢ଼ିବାର ଆଶଙ୍କା ରହିଛି। ସେହିପରି ମାର୍କେଟରେ ଅପ୍ରାକୃତିକ ଭାବେ ଏଲପିଜି ସିଲିଣ୍ଡରର ସଙ୍କଟ ସୃଷ୍ଟି ହୋଇପାରେ। ଏଥିପାଇଁ ସରକାର ବୁକିଂ ଅବଧିକୁ ୨୫କୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଯୁଦ୍ଧ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସ୍ୱାଭାବିକ ଭାବେ ବୁକିଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ଯେଉଁ ଉପଭୋକ୍ତାମାନେ ସାଧାଣତଃ ୫୫ ଦିନରେ ଥରେ ବୁକିଂ କରୁଥିଲେ ଏବେ ସେମାନେ ୧୫ ଦିନ ମଧ୍ୟରେ ଗ୍ୟାସ ପାଇଁ ବୁକିଂ କରୁଛନ୍ତି। ସେମାନେ ଅଧିକ ମାତ୍ରାେ ର ଗ୍ୟାସ ସଂରକ୍ଷିତ କରି ରଖିବାର ଆଶଙ୍କା ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ବୁକିଂ ସମୟସୀମାରେ ସଂଶୋଧନ କରି ସରକାର ସିଲିଣ୍ଡର ବଣ୍ଟନ ରେ ସ୍ୱଚ୍ଛତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ସମାନ ସମୟରେ ସରକାର ଦେଶର ରିଫାଇନାରୀମାନଙ୍କୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଶେଷରେ କରି ଘରୋଇ ଏଲପିଜି ସିଲିଣ୍ଡର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। ଯୋଗାଣରେ ସ୍ଥିରତା ଆଣିବା ପାଇଁ ସରକାର ଅତିରିକ୍ତ ଭାବେ ଆମଦାନୀ ବିକଳ୍ପ କଥା ମଧ୍ୟ ଚିନ୍ତା କରୁଛନ୍ତି। ଆଲଜେରିଆ, ଅଷ୍ଟ୍ରେଲିଆ, କାନାନା ଓ ନରୱେ ଭଳି ଦେଶ ସହ ଏଲପିଜି ପାଇଁ ସରକାର ଯୋଗାଯୋଗରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯୁଦ୍ଧ ମଧ୍ୟରେ ସରକାର ଦେଶବାସୀଙ୍କୁ ବଡ଼ ଆଶ୍ୱସନା ମଧ୍ୟ ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ସମସ୍ତେ ସମସ୍ତ ପ୍ରକାରର ତେଲର ଅଭାବ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନାହିଁ। କୌଣସି ପେଟ୍ରୋଲ ପମ୍ପରେ ତେଲର ସଙ୍କଟ ଦେଖାଯାଇନି। ଏହାବାଦ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିଲେ ହେଁ ଦେଶରେ ଏବେ ପେଟ୍ରୋଲ କିମ୍ବା ଡିଜେଲ ଦର ବଢ଼ିବ ନାହିଁ ବୋଲି ସରକାର କହିଛନ୍ତି।
