ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବନାଞ୍ଚଳରେ ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିବା ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହ ଗ୍ରାମ ନିକଟରେ ଥିବା ରିଙ୍କୁ ମେହେରଙ୍କ ଫାର୍ମ ହାଉସରେ ବିଦ୍ୟୁତ ତାର ବିଛାଇ ଏକ ବନ୍ୟ ବାରହାକୁ ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ସୃଷ୍ଟି କରିବା ସହ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରବିବାର ରାତିରେ ଫାର୍ମ ହାଉସ ପରିସରରେ ବିଦ୍ୟୁତ ତାର ବିଛାଇ ବନ୍ୟ ବାରହାକୁ ମାରାଯାଇଥିବା ଅଭିଯୋଗ ରହିଛି। ଖବର ପାଇବା ପରେ ଖପ୍ରାଖୋଲ ବନପାଳ ସୁଧୀର ଜେନା ଓ ବନପାଳ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍, ଖପ୍ରାଖୋଲ ପୋଲିସର ଏସ୍?ଆଇ ଲିଙ୍ଗରାଜ କିଷାନଙ୍କ ସମେତ ପୋଲିସ ଟିମ୍ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀମାନେ ରାତି ପ୍ରାୟ ୧୧ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ପ୍ରାୟ ୬୦ କିଲୋଗ୍ରାମ ଓଜନର ଏକ ମୃତ ବନ୍ୟ ବାରହାକୁ ଫାର୍ମ ହାଉସ ଭିତରୁ ଜବତ କରାଯାଇଥିଲା। ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଫାର୍ମ ହାଉସର ଜଗୁଆଳି ଉଗ୍ରେସନ ମାଝୀ ଫେରାର ହୋଇଯାଇଥିଲେ। ପରେ ବନବିଭାଗର ତତ୍ପରତା ଓ ଲଗାତାର ଉଦ୍ୟମ ଫଳରେ ସୋମବାର ସକାଳେ ତାଙ୍କୁ ବନବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ ଉଠିଛି।

ଯଦି ପ୍ରକୃତରେ ଫାର୍ମ ହାଉସ ପରିସରରେ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରାଯାଇଥାଏ, ତେବେ ଫାର୍ମ ହାଉସ ପରିଚାଳନାର ଜ୍ଞାନ କିମ୍ବା ଅନୁମତି ବିନା ଏଭଳି କାର୍ଯ୍ୟ ସମ୍ଭବ କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରି ଏଭଳି ବିପଜ୍ଜନକ ଉପାୟରେ ଶିକାର କରିବା କେବଳ ବନ୍ୟଜନ୍ତୁ ପାଇଁ ନୁହେଁ, ସାଧାରଣ ଲୋକଙ୍କ ଜୀବନ ପ୍ରତି ମଧ୍ୟ ଗୁରୁତର ବିପଦ ସୃଷ୍ଟି କରିପାରେ। ଏବେ ଏହି ଘଟଣାରେ ଫାର୍ମ ହାଉସ ମାଲିକଙ୍କ ଭୂମିକା, ବିଦ୍ୟୁତ ସଂଯୋଗର ବ୍ୟବହାର ଏବଂ ଶିକାରରେ ଅନ୍ୟ କେହି ସଂପୃକ୍ତ ଥିଲେ କି ନାହିଁ, ସେନେଇ ବନବିଭାଗ ତଦନ୍ତ ଜାରି ରଖିଛି। ଏପଟେ ଜବତ ହୋଇଥିବା ମୃତ ବନ୍ୟ ବାରହାର ଶବ ବ୍ୟବଚ୍ଛେଦ ହରିଶଙ୍କର ବନବିଭାଗ କାର୍ଯ୍ୟାଳୟ ପରିସରରେ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତର ଅନ୍ତିମ ଫଳାଫଳ ପରେ ବାରହାର ମୃତ୍ୟୁର ପ୍ରକୃତ କାରଣ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ଯେ, ଘଟଣାର ସମସ୍ତ ଦିଗରୁ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯାହାଦ୍ୱାରା ଭବିଷ୍ୟତରେ ଏଭଳି ବନ୍ୟଜନ୍ତୁ ଶିକାର ଘଟଣାକୁ ରୋକାଯାଇପାରିବ।
