ପୁରୀ: ରଥଯାତ୍ରା ୨୦୨୬ ଅବସରରେ ଖରା ଓ ବର୍ଷା ସତ୍ତ୍ୱେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ ହୋଇଛନ୍ତି। ଏପରି ପରିସ୍ଥିତିରେ ଶ୍ରଦ୍ଧାଳୁ, ସଫେଇ କର୍ମଚାରୀ, ରିକ୍ସା ଚାଳକ ଏବଂ ବିଭିନ୍ନ ଫିଲ୍ଡ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ଫ୍ୟାସିଲିଟେସନ୍ ସେଣ୍ଟର ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ମାନବିକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଦର୍ଶନ ପାଇଁ ଅପେକ୍ଷାରତ ଶ୍ରଦ୍ଧାଳୁ ଏବଂ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରୁଥିବା ସଫେଇ କର୍ମଚାରୀମାନଙ୍କୁ ରେନ୍ କୋଟ୍ ବଣ୍ଟନ କରାଯାଇଥିଲା। ଏହା ସହିତ ଦୀର୍ଘ ସମୟ ଧରି ସେବା ଯୋଗାଇ ଆସୁଥିବା ରିକ୍ସା ଚାଳକ ଏବଂ ଶ୍ରଦ୍ଧାଳୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ବର୍ଷାଜନିତ ଅସୁବିଧାରୁ ସେମାନଙ୍କୁ କିଛିଟା ସୁରକ୍ଷା ଓ ସ୍ୱସ୍ତି ପ୍ରଦାନ କରାଯିବା ସହ ମାନବିକ ସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ପୁରୀ ପୋଲିସର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କୁ ବର୍ଷା ସମୟରେ ସାବଧାନତା ଅବଲମ୍ବନ କରିବା, ପୋଲିସ ଓ ପ୍ରଶାସନର ପରାମର୍ଶ ପାଳନ କରିବା ଏବଂ ଆବଶ୍ୟକ ପଡ଼ିଲେ ପୁରୀ ପୋଲିସର ସହଯୋଗ ନେବାକୁ ଅନୁରୋଧ କରାଯାଇଥିଲା।

ରଥଯାତ୍ରା ସମୟରେ ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁ ରଖିବାରେ ସଫେଇ କର୍ମଚାରୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ସେହିପରି, ରିକ୍ସା ଚାଳକମାନେ ଦିନରାତି ଶ୍ରଦ୍ଧାଳୁମାନଙ୍କ ଯାତାୟାତରେ ସହଯୋଗ କରୁଥିବା ବେଳେ, ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅବିରତ ବର୍ଷା ମଧ୍ୟରେ ଦର୍ଶନ କରୁଛନ୍ତି। ଏହି ସମସ୍ତଙ୍କ ପ୍ରତି କୃତଜ୍ଞତା ଓ ସହଯୋଗର ପ୍ରତୀକ ସ୍ୱରୂପ ପୁରୀ ପୋଲିସ ପକ୍ଷରୁ ରେନ୍ କୋଟ୍ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଉପସ୍ଥିତ ଶ୍ରଦ୍ଧାଳୁ, ସଫେଇ କର୍ମଚାରୀ ଏବଂ ରିକ୍ସା ଚାଳକମାନେ ପୁରୀ ପୋଲିସର ଏହି ମାନବିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ସେମାନଙ୍କ ମତରେ, ଏଭଳି ସହଯୋଗ ରଥଯାତ୍ରା ସମୟରେ ସେମାନଙ୍କ କାର୍ଯ୍ୟ ଓ ଦର୍ଶନକୁ ଅଧିକ ସୁବିଧାଜନକ କରିଛି। ପୁରୀ ପୋଲିସ କେବଳ ଆଇନଶୃଙ୍ଖଳା ବଜାୟ ରଖିବାରେ ସୀମିତ ନ ରହି, ମାନବିକ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରଥଯାତ୍ରା ସମୟରେ ଫ୍ୟାସିଲିଟେସନ୍ ସେଣ୍ଟର ମାଧ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଳନ, ହଜିଯାଇଥିବା ସାମଗ୍ରୀ ଉଦ୍ଧାର, ପର୍ଯ୍ୟଟକ ସହାୟତା, ଜରୁରୀ ସେବା ସହ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଅବ୍ୟାହତ ରଖିଛି। ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛି ଯେ, ବର୍ଷା ସମୟରେ ସାବଧାନତାର ସହ ଯାତାୟାତ କରନ୍ତୁ, ପୋଲିସ ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ ଏବଂ କୌଣସି ପ୍ରକାର ସହାୟତା ଆବଶ୍ୟକ ହେଲେ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ପୁରୀ ପୋଲିସ ଫ୍ୟାସିଲିଟେସନ୍ ସେଣ୍ଟର ସହ ଯୋଗାଯୋଗ କରନ୍ତୁ।
