ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ରବିବାର ଦିନ ଏକ ବାରୁଦ କାରଖାନାରେ ବିସ୍ଫୋରଣ ହେବା ଫଳରେ ଅତି କମ୍ରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଯଥାକ୍ରମେ୨ ଲକ୍ଷ ଟଙ୍କା ଏବଂ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ନାଗପୁରରୁ ୨୫ କିମି ଦୂର କୋତଲ ତହସିଲ ଅଧୀନ ରାଉଲଗାଓଁରେ ଥିବା ଏସ୍ବିଏଲ୍ ଏନ୍ର୍ଜି ଲିମିଟେଡ୍ କାରଖାନାରେ ଖଣି ଏବଂ ଶିଳ୍ପ ବିସ୍ଫୋରକ ପ୍ରସ୍ତୁତ ହୋଇଥାଏ। ସକାଳ ୭ଟାରୁ ୭ଟା୧୫ ମଧ୍ୟରେ ଡେଟୋନେଟର ପ୍ୟାକିଂ ୟୁନିଟ୍ରେ ଏଠାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲାପାଳ ଓ ଏସ୍ପି ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆହତମାନଙ୍କୁ ନାଗପୁରର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପୋଲିସ କହିଛି। ମୁଖ୍ୟମନ୍ତ୍ରୀ ଫଡ୍ନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
