ଏଲ୍ ଆଲ୍ଟୋ: ସେଣ୍ଟ୍ରାଲ ବ୍ୟାଙ୍କର ନୂଆ ନୋଟ୍ ପରିବହନ କରୁଥିବା ବୋଲିଭିଆର ବାୟୁସେନାର ଏକ ବିମାନ ପଶ୍ଚିମ ସହର ଏଲ୍ଅଲ୍ଟୋରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ଜଣଙ୍କର ପ୍ରାଣହାନି ଘଟିଛି। ଏଥିରେ ୩୦ଜଣ ଆହତ ହୋଇଛନ୍ତି। ସି-୧୩୦ ହରକ୍ଲ୍ୟୁଲେସ୍ ସାମରିକ ବିମାନଟି ସାଣ୍ଟାକ୍ରୁଜ୍ ସହରରୁ ଯାତ୍ରା ଆରମ୍ଭ କରିଥିଲା। ଶୁକ୍ରବାର ସଂଧ୍ୟା ୬ଟା ୧୫ ମିନିଟ୍ରେ ଅବତରଣ କରିବା ସମୟରେ ରନ୍ୱେରୁ ଖସି ରାସ୍ତାରେ ଯାଉଥିବା ଯାନବାହନ ସହ ଧକ୍କା ଖାଇଥିଲା। ଫଳରେ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଦୁର୍ଘଟଣା ଫଳରେ ଏଲ ଅଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ବିମାନଟିରେ ୮ଜଣ ଥିବା ବାୟୁସେନା କମାଣ୍ଡର ସୂଚନା ଦେଇଛନ୍ତି। ଦୁର୍ଘଟଣାର ସଠିକ୍ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି ଖସି ପଡ଼ିବା ସମୟରେ ବଜ୍ରପାତ ସହ ପ୍ରବଳ କୁଆପଥର ବର୍ଷା ହେଉଥିଲା। ଅତଏବ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।
