କନ୍ଧମାଳ: କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ବେଳେ ନିହତ ହୋଇଛନ୍ତି ଦୁଇ ଜଣ ନକ୍ସଲ। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ନିହତ ନକ୍ସଲ ଦ୍ୱୟ କେକେବିଏନ୍ ଡିଭିଜନର। ଜଣେ ଏରିଆ କମିଟି ସଦସ୍ୟ (ଏସିଏମ୍) ଓ ଅନ୍ୟ ଜଣେ ପାର୍ଟି ମେମ୍ବର (ପିଏମ) ବୋଲି ଜଣାପଡିଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ସଂରକ୍ଷିତ ଜଙ୍ଗଲ ନଣ୍ଡାବାଡ଼ି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ନକ୍ସଲଙ୍କ କେକେବିଏନ୍ ଡିଭିଜନର ଅଷ୍ଟମ ବାଟାଲିଆନର ଏକ କ୍ୟାମ୍ପ ସେହି ଜଙ୍ଗଲରେ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଗତ ୨୦ ତାରିଖରୁ କନ୍ଧମାଳ ପୁଲିସର ଏସଓଜି ଟିମ୍ ସେହି ଜଙ୍ଗଲରେ କମ୍ବିଂ ଅପେରସନ ଆରମ୍ଭ କରିଥିଲା। ଆଜି ନଣ୍ଡାବାଡ଼ି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଗୁଳିବିନିମୟ ବେଳେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗୁଳି ବିନିମୟ ବନ୍ଦ ହେବା ପରେ ଏସଓଜ ଟିମ୍ ଜଙ୍ଗଲରେ ସର୍ଚ୍ଚ ଅପେରସନ ଜାରି ରଖିଥିବା ସୂଚନା ମିଳିଛି।

ମାଓ ସଙ୍ଗଠନକୁ ବଡ଼ ଝଟକା । ଟପ୍ ମାଓନେତା ଦେବଜୀଙ୍କ ଆତ୍ମସମର୍ପଣ । ଦେବଜୀଙ୍କ ସମେତ ୧୬ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଭାରତରେ ମାଓବାଦୀ ଆନ୍ଦୋଳନକୁ ବଡ଼ ଶକ୍ତ ଧକ୍କା ଲାଗିଛି । ଉଚଓ ମାଓବାଦୀ ସଙ୍ଗଠନର ସବୁଠାରୁ ବଡ଼ ନେତା ବା ଜେନେରାଲ ସେକ୍ରେଟାରୀ ଥିପ୍ପିରି ତିରୁପତି ଓରଫ୍ ‘ଦେବଜୀ’ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ ରିଛନ୍ତି । ତାଙ୍କ ସହ ଆଉ ଜଣେ ବଡ଼ ନେତା ମାଲା ରାଜି ରେଡ୍ଡୀ ଏବଂ ପ୍ରାୟ ୧୬ ଜଣ ସଶସ୍ତ୍ର କ୍ୟାଡର ମଧ୍ୟ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ତେଲେଙ୍ଗାନାର ଆସିଫାବାଦ ଜିଲ୍ଲା ଜଙ୍ଗଲରେ ଏହି ବଡ଼ ନେତାମାନେ ପୋଲିସ ନିକଟକୁ ଆସିଥିଲେ । ଦେବଜୀ ମାଓବାଦୀ ସଙ୍ଗଠନର ମୁଖ୍ୟ ରଣନୀତିକାର ଥିଲେ । ଗତବର୍ଷ ନମ୍ବଲା କେଶବ ରାଓଙ୍କ ମୃତ୍ୟୁ ପରେ ସେ ସଙ୍ଗଠନର ଦାୟିତ୍ୱ ନେଇଥିଲେ। ତାଙ୍କ ମୁଣ୍ଡ ଉପରେ ୧ ରୁ ୨ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବଡ଼ ଆତ୍ମସମର୍ପଣ ସେହି ଦିଗରେ ଏକ ବଡ଼ ସଫଳତା ।
