ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ବିଜେ କରିବେ ମହାବାହୁ । ଜୁଲାଇ ୧୬ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଧାଡି ପହଣ୍ଡିରେ ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରଥ ପଥ ଓ ଭକ୍ତ ପ୍ରସ୍ତୁତ ହେଉଛନ୍ତି । ନେତ୍ରୋତ୍ସବ ଦିନ ରଥଖଳାରୁ ସିଂହଦ୍ୱାର ଚକଡାକୁ ଦକ୍ଷିଣ ମୋଡ ହେବ ତିନିରଥ । ରଥ ଆଗରେ ଏବେ ଝୋଟି ଚିତା ଆଙ୍କୁଛନ୍ତି ଚିତ୍ରଶିଳ୍ପୀ । ବାଲେଶ୍ୱର ରୁ ୩୦ ଜଣ ଚିତ୍ରଶିଳ୍ପୀ ଝୋଟି ଚିତା ଅଙ୍କନରେ ନିମଗ୍ନ ରହିଛନ୍ତି । ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦଙ୍କ ତତ୍ତ୍ୱାବଧାନରେ ଶିଳ୍ପୀମାନେ କାର୍ଯ୍ୟରତ । ପ୍ଲାଇମର, ଟେନସିଲ ଲାଇନର, ଧଳା, ନାଲି,ନେଳି, ହଳଦିଆ, ସବୁଜ ଆଦି ରଙ୍ଗ ବ୍ଯବହୃତ ହେଉଛି । ବଡ ବଡ ଫୁଲ, ପାରମ୍ପରିକ ଝୋଟି, ଲମ୍ବା ଲାଇନର ଓ ଏସିଆନ ପେଣ୍ଟରେ ଚିତ୍ରତ ହେଉଛି ।

ବହୁତ ସୁନ୍ଦର ଝୋଟି ଚିତାରେ ଝଲସୁଛି ସିଂହଦ୍ୱାର ଚକଡା । ଅଭିଜିତ ବେହେରା,ତାପସ କୁମାର ସ୍ୱାଇଁ,ସୁଜିତ କୁମାର ମହାପାତ୍ର, ପ୍ରମୋଦ କୁମାର ମାଝୀ, ତନ୍ମୟ ପଟ୍ଟନାୟକ, ଗୌତମ ସିଂହ, ରବୀନ୍ଦ୍ର କୁମାର ନାୟକ, ରିଙ୍କୁ ଛୁଆଳସିଂହ, ଲିପୁନଙ୍କ ସମେତ ଚିତ୍ରଶିଳ୍ପୀ ମାନଙ୍କ ରଙ୍ଗ ଓ ତୁଳୀରେ ରଙ୍ଗୀନ ହେଉଛି ସିଂହଦ୍ୱାର ସମ୍ମୁଖ ରଥ ଚକଡା । ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଚିତ୍ରଶିଳ୍ପୀମାନେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ମହାପ୍ରଭୁଙ୍କ ଏହି କାର୍ଯ୍ୟ କରୁଛନ୍ତି । ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇ ସେମାନେ ଧନ୍ଯ ମନେ କରିଛନ୍ତି ।
