ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପାଇଁ ଅବିରତ ୯୯ ଦିନ ଧରି ଚାଲିଥିବା ଏହି ସଚେତନତା ପଦଯାତ୍ରା ଆଜି ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, କୌଣସି ବ୍ୟକ୍ତିବିରୋଧୀ ଆନ୍ଦୋଳନ ମଧ୍ୟ ନୁହେଁ। ଏହା ହେଉଛି ସେହି ସାଧାରଣ ଭକ୍ତଙ୍କ ନୀରବ ଆର୍ତ୍ତନାଦ, ଯିଏ ନିଜ ପ୍ରଭୁଙ୍କ ଦ୍ୱାରରେ ଠିଆ ହୋଇ ମଧ୍ୟ ନିଜକୁ ଅବହେଳିତ ଅନୁଭବ କରୁଛି।ଗତ ୧ ଏପ୍ରିଲ, ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତ୍ୟେକ ଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଗୋଟିଏ ପ୍ରଶ୍ନ ପଚାରି ଆସୁଛି – “ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି ?ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ। ଏହା ପ୍ରତ୍ୟେକ ବିବେକବାନ ମଣିଷଙ୍କ ଅନ୍ତରାତ୍ମା ପ୍ରତି ଏକ ନୈତିକ ଆହ୍ୱାନ।

ଏହା ସେହି ଲକ୍ଷ ଲକ୍ଷ ଭକ୍ତଙ୍କ ମନର କଥା, ଯେଉଁମାନେ ପ୍ରଭୁଙ୍କୁ ସମସ୍ତଙ୍କର ବୋଲି ବିଶ୍ୱାସ କରନ୍ତି।ଏହି ୯୯ ଦିନରେ ଅସଂଖ୍ୟ ପଦଚିହ୍ନ ରାସ୍ତାରେ ପଡ଼ିଛି, କିନ୍ତୁ ପ୍ରତ୍ୟେକ ପଦକ୍ଷେପ ଲୋକଙ୍କ ହୃଦୟରେ ଏକ ସ୍ପଷ୍ଟ ଚିହ୍ନ ଛାଡ଼ିଛି। ପ୍ରତ୍ୟେକ ଜୟ ଜଗନ୍ନାଥ ଧ୍ୱନିରେ ରହିଛି ଅଗଣିତ ଲୋକଙ୍କ ଅକୁହା ବେଦନା ଓ ଅତ୍ୟୁଟ ବିଶ୍ୱାସ। ଏହି ପଦଯାତ୍ରା ଆଜି ପୁରୀବାସୀଙ୍କ ଆତ୍ମସମ୍ମାନ, ଆସ୍ଥା ଓ ସମାନ ଅଧିକାରର ପ୍ରତୀକ ପାଲଟିଛି।ଜଗନ୍ନାଥ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ବାର୍ତ୍ତା ଦିଏ। ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରେ, ସେଠାରେ ଦର୍ଶନରେ କାହିଁକି ବିଶେଷ ଅଧିକାର ? ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ନିଜକୁ ପର ବୋଲି ଅନୁଭବ ନକରୁ ଏହା ହିଁ ଏହି ପଦଯାତ୍ରାର ଏକମାତ୍ର ଆକାଂକ୍ଷା।ଏହି ପଦଯାତ୍ରା କୌଣସି ବିଶେଷ ସୁବିଧା ଦାବି କରୁନାହିଁ। ଏହା କେବଳ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରର ପୁନଃସ୍ଥାପନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ।ଆଜି ଏହି ପଦଯାତ୍ରା ୯୯ ଦିନ ପୂରଣ କରିଛି। ଏହି ୯୯ ଦିନ କେବଳ ସମୟର ହିସାବ ନୁହେଁ; ଏହା ଭକ୍ତିର ତପସ୍ୟା, ଧୈର୍ଯ୍ୟର ପରୀକ୍ଷା ଓ ସତ୍ୟ ପ୍ରତି ଅଟୁଟ ବିଶ୍ୱାସର ପ୍ରତୀକ। ଆସନ୍ତାକାଲି ଏହି ପଦଯାତ୍ରା ଐତିହାସିକ ୧୦୦ ଦିନରେ ପଦାର୍ପଣ କରିବ। ଶତଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟା ନୁହେଁ; ଏହା ଭକ୍ତି, ନ୍ୟାୟ, ସମତା ଓ ଆତ୍ମସମ୍ମାନ ପାଇଁ ଏକ ଅହିଂସକ ଜନ ଜାଗରଣର ଐତିହାସିକ ଅଧ୍ୟାୟ ହେବ।

ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ମନୋରଞ୍ଜନ ରଣସିଂହ, ଶିବସୁନ୍ଦର ମିଶ୍ର, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରଣୀ ମିଶ୍ର, ମମତା ସ୍ୱାଇଁ, ପ୍ରଣତୀ ରାୟ, ଭାରତୀ ମହାନ୍ତି, ନିହାରିକା ତ୍ରିପାଠୀ, ଜଗନ୍ନାଥ ଦେଓ, ଶିଶିରକାନ୍ତ ଶତପଥୀ, ପ୍ରଫୁଲ୍ଲ କୁମାର ସାହୁ, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ଜଗଦାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ମହାନ୍ତି, ବଙ୍କିମ ଚନ୍ଦ୍ର ନାୟକ, ମାନସ ପଟ୍ଟନାୟକ, ସୁକାନ୍ତ ପଣ୍ଡା ସମେତ ବହୁ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବକ, ମହିଳା ଓ ବରିଷ୍ଠ ନାଗରିକ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ, ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ।ଶେଷରେ ଗୋଟିଏ ନୀରବ ପ୍ରଶ୍ନ ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ ?ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ। ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ।ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।
