ଭୁବନେଶ୍ୱର: ଓଡ଼ିଶା ସଂଗୀତ ଜଗତ ଆଉ ଜଣେ ପ୍ରତିଭାସମ୍ପନ୍ନ ସଂଗୀତ ନିର୍ଦ୍ଦେଶକ ଓ ଗାୟକଙ୍କୁ ହରାଇଛି। ଲୋକପ୍ରିିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ରବିବାର ଭୁବନେଶ୍ୱର ଏମ୍ଏସ୍ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଓଡ଼ିଆ ସଂଗୀତପ୍ରେମୀ ତଥା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଦଇଛି। ତାଙ୍କ ପତ୍ନୀ ରଂଜିତା ଓ ଏକମାତ୍ର ପୁତ୍ର ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।। ଅଭିଜିତ୍ କିଛିଦିନ ହେଲା ଯକୃତ୍, ଉଚ୍ଚ ରକ୍ତଚାପ ଓ ଥାଇରଏଡ୍ ଭଳି ରୋଗରେ ପୀଡିତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଗତ ସେପ୍ଟେମ୍ବର ମାସରେ ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାକୁ ତାଙ୍କୁ ଭେଣ୍ଟିଲେଟରରେ ରହିବାକୁ ପଡ଼ିଥିଲା। ତେବେ ବହୁ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ ପରିବାରକୁ ପରାମର୍ଶ ଦେଇଥିଲେ। ହେଲେ ପୁଣି ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ଭୁବନେଶ୍ୱର ଏମଏସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ତାଙ୍କ ମୃତ ଖବର ପାଇବା ପରେ ବହୁ ସଂଗୀତପ୍ରେମୀ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବାର କାର୍ଯ୍ୟସୂଚୀ ରହିଛି। ଅଭିଜିତ ସଂଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ। ସେ ୬୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଓ ୧୦୦ରୁ ଅଧିକ ସଂଗୀତ ଆଲବମ୍, ଭଜନ ଆଦିରେ ସଂଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି। ଓଡ଼ିଆ ସଂଗୀତ ଜଗତକୁ ସେ ବହୁ ହିଟ୍ ଗୀତ ଉପହାର ଦେଇଛନ୍ତି। ତାଙ୍କ ‘କଞ୍ଚା ହଳଦୀ’ ଗୀତଟି ଖୁବ୍ ହିଟ୍ ହୋଇଥିଲା। ମେଲୋଡି କିଙ୍ଗ୍ ଭାବେ ପରିଚିତ ଅଭିଜିତ୍ ୧୯୯୧ ମସିହାରେ ସେ ପ୍ରଥମେ ଏକ ସମ୍ବଲପୁରୀ ଆଲବମରେ ସେ କଣ୍ଠଦାନ କରିଥିଲେ। ୨୦୦୦ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଓ ପ୍ରଚ୍ଛଦପଟ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘କାଶିଆକପିଳା’। ପ୍ରାୟ ୭୦୦ ଗୀତରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ର ‘ତୁ ଥା ମୁଁ ଯାଉଛି ରୁଷି’ ଓ ‘ତୃଷ୍ଣା’ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ଆରପାରିରେ ଅଭିଜିତ୍ ; ଓଡ଼ିଆ ସଂଗୀତ ଜଗତରେ ଶୋକର ଛାୟା














Leave a Reply