ମାଦ୍ରିଦ: ସ୍ପେନର ଦକ୍ଷିଣ ଭାଗରେ ରବିବାର ରାତିରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ଏଥିରେ ଅତିକମରେ ୩୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୮ଜଣ ଚିକତ୍ସାଧୀନ ଥିବା ବେଳେ ୧୨ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। କୋରଡୋବା ନିକଟ ଆଡାମଜଠାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ମାଲାଗାରୁ ମାଦ୍ରିଦ ଯାଉଥିବା ଏକ ଦ୍ରୁତଗତିର ଟ୍ରେନ ଲାଇନଚ୍ୟୁତ ହୋଇ ସଂଲଗ୍ନ ଟ୍ରାକ୍ରେ ଖସି ପଡ଼ିଥିଲା। ଏତିକି ବେଳେ ମାଦ୍ରିରୁ ହୁଲେଭା ଯାଉଥିବା ଅନ୍ୟ ଏକ ଟ୍ରେନ ଏହା ସହ ଧକ୍କା ହୋଇ ଲାଇନଚ୍ୟୁତ ହୋଇପଡ଼ିଲା। ଦୁଇ ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ରହିଥିଲେ।

ସ୍ପେନ ପ୍ରଧାମନ୍ତ୍ରୀ ପେଡ୍ରୋ ସାଂଚେଜ୍ ଦୁର୍ଘଟଣାକୁ ମର୍ମଭେଦୀ ଯନ୍ତ୍ରଣା ଭାବେ ବର୍ଣ୍ଣନା କରିଛନ୍ତି। ସେହିପରି ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଣ୍ଟେ ଏହାକୁ ଗୁରୁତର ଘଟଣା ବୋଲି କହିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ଜଣେ ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୃତାହତଙ୍କ ମଧ୍ୟରେ ଟ୍ରେନ୍ର ଆଗପଟେ ବସିଥିବା ଯାତ୍ରୀମାନେ ରହିଛନ୍ତି। ପୂର୍ବରୁ ୨୦୧୩ ମସିହାରେ ଦେଶର ଗାଲିସିଆରେ ଟ୍ରେନ୍ ଲଇନଚ୍ୟୁତ ହୋଇ ୮୦ଜଣଙ୍କ ପ୍ରାଣ ଯାଇଥିଲା।













Leave a Reply