ପୁରୀ: ସମାଜରେ ସଚେତନତା, ସେବା ଓ ମାନବିକ ମୂଲ୍ୟବୋଧର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂପର୍କ ପକ୍ଷରୁ ସୂରଜମଲ୍ଲ ଶାହା ମହାବିଦ୍ୟାଳୟ, ପରିସରରେ ଏକ ବ୍ୟାପକ ପ୍ରାଥମିକ ଚିକିତ୍ସା (ଫାଷ୍ଟ ଏଡ) ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ୀଙ୍କ ମଧ୍ୟରେ ଜରୁରୀ ପରିସ୍ଥିତିରେ ଜୀବନ ରକ୍ଷାକାରୀ କୌଶଳ ବିକାଶ କରିବା ଏବଂ ବିପଦ ସମୟରେ ସଠିକ୍ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ସୃଷ୍ଟି କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା।
ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା, ଅଗ୍ନିକାଣ୍ଡ, ବନ୍ୟା, ବଜ୍ରପାତ, ବିଦ୍ୟୁତ୍ ଆଘାତ, ସାପ କାମୁଡ଼ା, ହୃଦଘାତ ଓ ବିଭିନ୍ନ ଘରୋଇ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପ୍ରାଥମିକ ଚିକିତ୍ସାର ଜ୍ଞାନ ପ୍ରତ୍ୟେକ ନାଗରିକଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ସଂପର୍କ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ଏହି ଶିବିରରେ ସୁରଜମଲ୍ଲ ଶାହା ମହାବିଦ୍ୟାଳୟର ୧୪୮ ଜଣ ଛାତ୍ରଛାତ୍ରୀସକ୍ରିୟ ଭାବେ ଅଂଶଗ୍ରହଣ କରି ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ଜ୍ଞାନ ଓ ବ୍ୟବହାରିକ ଅନୁଭୂତି ହାସଲ କରିଥିଲେ। ପ୍ରଶିକ୍ଷଣରେ ଯୋଗଦେଇଥିବା ଅନେକ ଛାତ୍ରଛାତ୍ରୀ ପ୍ରଥମଥର ପାଇଁ ଜୀବନ ରକ୍ଷାକାରୀ ଦକ୍ଷତାର ଗୁରୁତ୍ୱକୁ ନିକଟରୁ ଅନୁଭବ କରିଥିଲେ।ଏହି ଶିବିରରେ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅଭିଜ୍ଞ ପ୍ରଶିକ୍ଷକ ବିଶ୍ୱ ରଞ୍ଜନ କୁମାର ଏବଂ ନିଖିଲ କୁମାର ଉପସ୍ଥିତ ରହି ପ୍ରାଥମିକ ଚିକିତ୍ସାର ସୈଦ୍ଧାନ୍ତିକ ଓ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ସେମାନେ ସଚେତନ କରାଇ କହିଥିଲେ ଯେ, କୌଣସି ଦୁର୍ଘଟଣା କିମ୍ବା ଆକସ୍ମିକ ଅସୁସ୍ଥତା ସମୟରେ ଡାକ୍ତରୀ ଚିକିତ୍ସା ମିଳିବା ପୂର୍ବରୁ ଆହତ କିମ୍ବା ରୋଗୀଙ୍କୁ ଯେଉଁ ତୁରନ୍ତ ଓ ଅସ୍ଥାୟୀ ସହାୟତା ଯୋଗାଇ ଦିଆଯାଏ, ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ଏହା ରୋଗୀଙ୍କ ଜୀବନ ରକ୍ଷା କରିବା, ତାଙ୍କ ଅବସ୍ଥାକୁ ସ୍ଥିର ରଖିବା ଏବଂ ଅଧିକ କ୍ଷତି ହେବାକୁ ରୋକିବାରେ ଅମୂଲ୍ୟ ଭୂମିକା ଗ୍ରହଣ କରେ।ପ୍ରଶିକ୍ଷକମାନେ ବିଶେଷ ଭାବେ ସୁବର୍ଣ୍ଣ ମୁହୂର୍ତ୍ତ ବିଷୟରେ ଆଲୋଚନା କରିଥିଲେ। ଦୁର୍ଘଟଣା ପରେ ପ୍ରଥମ କିଛି ସମୟ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ। ଏହି ସମୟରେ ସଠିକ୍ ନିଷ୍ପତ୍ତି ଓ ତୁରନ୍ତ ସହାୟତା ମାଧ୍ୟମରେ ଅନେକ ଜୀବନ ବଞ୍ଚାଯାଇପାରେ। ଅନେକ ସମୟରେ ଆମ୍ବୁଲାନ୍ସ କିମ୍ବା ଡାକ୍ତର ପହଞ୍ଚିବା ପୂର୍ବରୁ ଉପସ୍ଥିତ ବ୍ୟକ୍ତିଙ୍କ ସଠିକ୍ ପଦକ୍ଷେପ ହିଁ ଜୀବନ ବଞ୍ଚାଇବାର ମୁଖ୍ୟ କାରଣ ହୋଇପାରେ।ପ୍ରାଥମିକ ଚିକିତ୍ସାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଶିକ୍ଷଣ ସମୟରେ ପ୍ରାଥମିକ ଚିକିତ୍ସାର ମୂଳ ଲକ୍ଷ୍ୟଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆହତ କିମ୍ବା ରୋଗୀଙ୍କ ଜୀବନ ରକ୍ଷା କରିବା,ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାକୁ ରୋକିବା,ଚିକିତ୍ସା ପୂର୍ବରୁ ତାଙ୍କୁ ସୁରକ୍ଷିତ ଓ ସ୍ଥିର ରଖିବା,

ଶୀଘ୍ର ସୁସ୍ଥତା ପାଇଁ ସହାୟକ ପରିବେଶ ସୃଷ୍ଟି କରିବା, ଆହତ ବ୍ୟକ୍ତି ଓ ପରିବାର ମଧ୍ୟରେ ଭୟ ଓ ଆତଙ୍କ ହ୍ରାସ କରିବା।ବିଭିନ୍ନ ଜରୁରୀ ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକମାନେ ବିଭିନ୍ନ ଆପାତକାଳୀନ ପରିସ୍ଥିତିରେ କିପରି ପ୍ରାଥମିକ ଚିକିତ୍ସା ଦେବାକୁ ହୁଏ ସେ ବିଷୟରେ ବିସ୍ତୃତ ଆଲୋଚନା ଓ ପ୍ରଦର୍ଶନ କରିଥିଲେ ।ରକ୍ତସ୍ରାବ ସମୟରେ କ୍ଷତସ୍ଥାନରେ ସଫା କପଡ଼ା କିମ୍ବା ବ୍ୟାଣ୍ଡେଜ୍ ଦ୍ୱାରା ଚାପ ପ୍ରୟୋଗ କରି ରକ୍ତସ୍ରାବ ନିୟନ୍ତ୍ରଣ କରିବା ଏବଂ ଶୀଘ୍ର ଡାକ୍ତରୀ ସହାୟତା ନେବା ବିଷୟରେ ଶିକ୍ଷା ଦିଆଯାଇଥିଲା।ଅସ୍ଥି ଭାଙ୍ଗିଗଲେ ଆହତ ଅଙ୍ଗକୁ ଅନାବଶ୍ୟକ ଭାବେ ନ ହଲାଇ ସ୍ପ୍ଲିଣ୍ଟ କିମ୍ବା ଅସ୍ଥାୟୀ ସହାୟକ ଉପକରଣ ଦ୍ୱାରା ସ୍ଥିର ରଖିବା ଶିଖାଯାଇଥିଲା।ପୋଡ଼ିଯିବା କ୍ଷେତ୍ରରେ ପୋଡ଼ିଥିବା ସ୍ଥାନକୁ ଠଣ୍ଡା ପାଣିରେ ଧୋଇବା, ତେଲ, ଟୁଥପେଷ୍ଟ କିମ୍ବା ଅନ୍ୟ କୌଣସି ଘରୋଇ ପଦାର୍ଥ ନ ଲଗାଇବା ଏବଂ ତୁରନ୍ତ ଚିକିତ୍ସା ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା।ସାପ କାମୁଡ଼ା କ୍ଷେତ୍ରରେ ରୋଗୀଙ୍କୁ ଶାନ୍ତ ରଖିବା, ଅନାବଶ୍ୟକ ଚଳପ୍ରଚଳ ନ କରିବା ଏବଂ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ଅଚେତ ରୋଗୀଙ୍କ ପାଇଁ ଶ୍ୱାସପ୍ରଶ୍ୱାସ ଯାଞ୍ଚ କର ରଖିବା ଏବଂ ଜରୁରୀ ସେବାକୁ ସୂଚନା ଦେବା ବିଷୟରେ ତାଲିମ ଦିଆଯାଇଥିଲା।ଶ୍ୱାସରୋଧ ଖାଦ୍ୟ କିମ୍ବା ଅନ୍ୟ ବସ୍ତୁ ଗଳାରେ ଅଟକିଗଲେ କିପରି ସଠିକ୍ ପଦ୍ଧତିରେ ସହାୟତା କରାଯିବ, ତାହାର ବ୍ୟବହାରିକ ପ୍ରଦର୍ଶନ କରାଯାଇଥିଲା।ସିପିଆର୍ ପ୍ରଦର୍ଶନ ଶିବିରର ଅନ୍ୟତମ ଆକର୍ଷଣ ଥିଲା । ହୃଦ୍?ସ୍ପନ୍ଦନ କିମ୍ବା ଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଯାଇଥିବା ବ୍ୟକ୍ତିଙ୍କୁ କିପରି ସି ଆର ଆର ଦେବାକୁ ହୁଏ, ତାହା ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନ ମାଧ୍ୟମରେ ବୁଝାଯାଇଥିଲା।ବ୍ୟବହାରିକ ତାଲିମ ଉପରେ ଗୁରୁତ୍ୱ କେବଳ ସୈଦ୍ଧାନ୍ତିକ ଜ୍ଞାନରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍ ଭାବେ ବ୍ୟାଣ୍ଡେଜ୍ ବାନ୍ଧିବା, ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା, ଆପାତକାଳୀନ ସମୟରେ ମାନସିକ ସ୍ଥିରତା ବଜାୟ ରଖିବା ଓ ଦ୍ରୁତ ନିଷ୍ପତ୍ତି ନେବା ଭଳି ଜୀବନୋପଯୋଗୀ କୌଶଳ ମଧ୍ୟ ଶିଖାଯାଇଥିଲା।ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଯେ, ଆଜିର ଯୁଗରେ କେବଳ ପାଠ୍ୟପୁସ୍ତକ ଶିକ୍ଷା ଯଥେଷ୍ଟ ନୁହେଁ; ଜୀବନ ରକ୍ଷାକାରୀ ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧ ମଧ୍ୟ ସମାନ ଭାବେ ଆବଶ୍ୟକ। ଯୁବପିଢ଼ୀଙ୍କୁ ଦାୟିତ୍ୱବାନ, ସଚେତନ ଓ ସଙ୍କଟ ସମୟରେ ସହାୟକ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ସଂପର୍କ ନିରନ୍ତର ଭାବେ ପ୍ରଶିକ୍ଷଣ, ସଚେତନତା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି।ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସା ଜାଣିଥିଲେ ସମାଜରେ ଦୁର୍ଘଟଣା ଜନିତ ମୃତ୍ୟୁହାର ଓ କ୍ଷତିକୁ ଅନେକାଂଶରେ କମାଯାଇପାରିବ।ସମଗ୍ର କାର୍ଯ୍ୟକ୍ରମକୁ ସୌମେନ୍ଦ୍ର ଦାସ ଏବଂ ଶୁଭ ପ୍ରସାଦ ଶର୍ମା ସୁଚାରୁ ଭାବେ ପରିଚାଳନା କରିଥିଲେ। ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ଏହି ଶିବିରକୁ ଅତ୍ୟନ୍ତ ଉପଯୋଗୀ, ଜୀବନମୁଖୀ ଏବଂ ସମୟୋପଯୋଗୀ ବୋଲି ମତ ପ୍ରକାଶ କରିଥିଲେ।ଶେଷରେ ଏହି ବାର୍ତ୍ତା ସହିତ ପ୍ରଶିକ୍ଷଣ ଶିବିର ସମାପ୍ତ ହୋଇଥିଲା ।ପ୍ରାଥମିକ ଚିକିତ୍ସାର ଜ୍ଞାନ କେବଳ ଏକ କୌଶଳ ନୁହେଁ, ଏହା ଜୀବନ ବଞ୍ଚାଇବାର ଏକ ମାନବିକ ଦାୟିତ୍ୱ। ଜଣେ ପ୍ରଶିକ୍ଷିତ ବ୍ୟକ୍ତି ସଙ୍କଟ ସମୟରେ ଅନ୍ୟର ଜୀବନ ରକ୍ଷା କରି ସମାଜ ପାଇଁ ଅମୂଲ୍ୟ ସେବା ଯୋଗାଇ ପାରନ୍ତି।
