ନୀତୀନ ନବୀନ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ

Spread the love


ନୂଆଦିଲ୍ଲୀ ଭାରତୀୟ ଜନତା ପାର୍ଟି ସଙ୍ଗଠନାତ୍ମକ ସ୍ତରରେ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁସାରେ ବିହାର ସରକାରରେ ମନ୍ତ୍ରୀ ଥିବା ନୀତୀନ ନବୀନ(୪୫)ଙ୍କୁ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି। ଏହି ନିଯୁକ୍ତିକୁ ବିହାର ସହ ରାଷ୍ଟ୍ରୀୟ ରାଜନୀତିରେ ବିଜେପିର ରଣନୀତିକ ମଜବୁତ ଭାବେ ଦେଖା ଯାଉଛି। ପାର୍ଟି ନେତୃତ୍ୱ ତାଙ୍କର ସଙ୍ଗଠନାତ୍ମକ ଅନୁଭବ , ଗ୍ରାଉଣ୍ଡର ଦକ୍ଷତା ଓ ପ୍ରଶାସନିକ କ୍ଷମତାକୁ ଦେଖି ଏହି ପ୍ରମୁଖ ଦାୟିତ୍ୱ ପ୍ରଦାନ କରିଛନ୍ତି। ନୀତୀନ ନବୀନ ବିଜେପିର ସବୁଠୁ କମ୍ ବୟସର ଅଧ୍ୟକ୍ଷ ହୋଇଛନ୍ତି। ଏହି ନିଯୁକ୍ତି ୧୪ ଡିସେମ୍ୱର ୨୦୨୫ରୁ ତତ୍କାଳ ପ୍ରଭାବରେ ଲାଗୁ ହୋଇଛି। ଏହି ସମ୍ୱନ୍ଧରେ ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ସଙ୍ଗଠନାତ୍ମକ ନିର୍ଦ୍ଦେଶ ଜାରି କରାଯାଇଛି। ବିଜେପିର ରାଷ୍ଟ୍ରୀୟ ମହାସଚିବ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ, ଏହି ନିଯୁକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ସଂସଦୀୟ ବୋର୍ଡ ଦ୍ୱାରା କରାଯାଇଛି। ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ, ନୀତୀନ ନବୀନ , ଯିଏ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି , ଏବେ ରାଷ୍ଟ୍ରୀୟ ସ୍ତରରେ ସଙ୍ଗଠନର ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିବେ। ନୀତୀନ ନବୀନଙ୍କ ଜନ୍ମ ପାଟନାରେ ହୋଇଛି। ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାବେ ରହି ସାରିଛନ୍ତି। ପିତାଙ୍କ ମୃତ୍ୟୁ ପରେ ନୀତୀଶ ନବୀନ ସକ୍ରିୟ ଭାବେ ନିର୍ବାଚନୀ ରାଜନୀତିରେ ପାଦ ରଖି ଥିଲେ ଏବଂ ଖୁବ୍ ଶୀଘ୍ର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାରେ ମଧ୍ୟ ସକ୍ରିୟ ଭୂମିକା ପାଳନ କରି ସାରିଛନ୍ତି , ଯେଉଁଠାରୁ ତାଙ୍କର ସଙ୍ଗଠନାତ୍ମକ ଦକ୍ଷତାକୁ ପରିଚୟ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!