ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ସ୍ଥିତ କଲୋନୀପଡାରେ ଶୁକ୍ରବାର ସନ୍ଧ୍ୟାବେଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଜଣେ ଯୁବତୀଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଲାଠୋର ଅଞ୍ଚଳର ଫକୀର ପୁଟେଲ ନାମକ ବ୍ୟକ୍ତି କଲୋନୀପଡାର ଦେବରାଜ ପୁଟେଲଙ୍କ ଝିଅ ଲିଜା ପୁଟେଲଙ୍କୁ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଲିଜା ରକ୍ତାକ୍ତ ହୋଇ ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ଲାଠୋର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଫକୀର ପୁଟେଲ ଫେରାର ହୋଇଯାଇଥିବା ବେଳେ, ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।
