କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା–ସାନକେନ୍ଦୁଗୁଡା ବିଜୁଏକ୍ସପ୍ରେସ ୱେ ରାସ୍ତା ନିକଟରୁ ସୋମବାର ସକାଳେ କୋକସରା ପୋଲିସ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ମହିଳା ସାନକେନ୍ଦୁଗୁଡା ଗ୍ରାମର ଲକ୍ଷ୍ମୀ ସୁନାନି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ,ଲକ୍ଷ୍ମୀ ଦୀର୍ଘଦିନ ଧରି ମାନସିକ ଭାବେ ଅସୁସ୍ଥ ଥିବାରୁ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲା । ଅନେକ ସମୟରେ ସେ ବେହେରା ସାନକେନ୍ଦୁଗୁଡା ରାସ୍ତା ପାର୍ଶ୍ୱରେ ରହୁଥ?ିବା ମଧ୍ୟ ସ୍ଥାନୀୟ ଲୋକମାନେ କହିଛନ୍ତି। ସୋମବାର ସକାଳେ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭକରିବା ସହ ମୃତଦେହକୁ ଜବତ କରିଥିଲା। ପରେ କୋକସରା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।ତେବେ ମହିଳାଙ୍କ ଶରୀରରେ ଥିବା ଶାଢ଼ୀ ଅଧା ଖୋଲା ଅବସ୍ଥାରେ ଥିବା ସହ ଗୁପ୍ତାଙ୍ଗ ନିକଟରେ ରକ୍ତ ଚିହ୍ନଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।ତେବେ ମୃତ୍ୟୁ ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସାମନ୍ନାକୁ ଆସିବ ବୋଲି କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।
