ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ, କଡ଼ା ପୋଲିସ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଜାତୀୟ ପତାକା ଧରି ଶହ ଶହ ସିଜେପି ସମର୍ଥକ ଏବଂ ବିଭିନ୍ନ ଛାତ୍ର ସଂଗଠନର ସଦସ୍ୟମାନେ ମଧ୍ୟ ଦିଲ୍ଲୀର କନଟ୍ ପ୍ଲେସ୍ ଓ ମଣ୍ଡି ହାଉସ୍ ଅଞ୍ଚଳରେ ହଠାତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ କନଟ୍ ପ୍ଲେସ୍ର ଇନର୍ ସର୍କଲ୍ ମଧ୍ୟରେ ଚାଲି ଚାଲି “ଜୟ ହିନ୍ଦ’ ନାରା ଦେଇଥିଲେ ଏବଂ ପରେ ବିଭିନ୍ନ ସ୍ଥାନରେ ପୁନର୍ବାର ଏକତ୍ରିତ ହୋଇଥିଲେ। କେତେକ ବିକ୍ଷୋଭକାରୀ ଜାତୀୟ ସଙ୍ଗୀତ ମଧ୍ୟ ଗାନ କରିଥିଲେ। ମଣ୍ଡି ହାଉସ୍ରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାକୁ ବାତିଲ କରିବା ଏବଂ ନିର୍ବାଚନ କମିଶନର ନିଯୁକ୍ତି ଆଇନ- ୨୦୨୩’କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପୋଲିସ୍ ଭିଡ଼କୁ ହଟାଇବାକୁ ଚେଷ୍ଟା କରିବା ସମୟରେ ବିକ୍ଷୋଭକାରୀ ଓ ପୋଲିସ୍ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା।

ସିଜେପି ପକ୍ଷରୁ ଲେହରା ଦୋ ୍ତିରଙ୍ଗା ଶୋଭାଯାତ୍ରା ପାଇଁ ଆହ୍ୱାନ ଦିଆଯାଇଥିଲା, ଯାହା ସନ୍ଧ୍ୟା ୫ଟାରେ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କରେ ଅନୁଷ୍ଠିତ ହେବାର ଥିଲା। ତେବେ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅଧୀନରେ ଜାରି କରାଯାଇଥିବା ନିଷେଧାଜ୍ଞା ଦର୍ଶାଇ ପୋଲିସ୍ ଏହି ଶୋଭାଯାତ୍ରା ପାଇଁ ଅନୁମତି ଦେଇନଥିଲା। ଶୁକ୍ରବାର ଓ ଶନିବାର ଦିନ ସେଣ୍ଟ୍ରାଲ୍ ପାର୍କ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଛି।
