ପୁରୀ: ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ବା ଅକ୍ଷୟ ତୃତୀୟାରେ ରଥଖଳାରେ ତିନୋଟି ଧଉରା କାଠ ଅନୁକୂଳ କରାଯାଇଛି । ବନଯାଗ ନୀତିରେ ହୋମ କରାଯାଇ ମହାକାଳୀ ମନ୍ତ୍ରରଃ ପୂଜିତ କୁରୁଢି ଲଗାଇ ଦେଉଳ ପୁରୋହିତ ବିଧି ମୁତାବକ ମନ୍ତ୍ର ଉଚ୍ଚାରଣ କରି ରଥକାଠ ଅନୁକୂଳ କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ଯାହ୍ନଧୂପ ପରେ ୫ ଟି ଆଜ୍ଞାମାଳ ମନ୍ଦିର ଭିତରୁ ବିମାନ ସହ ପଟୁଆରରେ ରଥଖଳାକୁ ଆସିଥିଲା । ତିନିଜଣ ପୂଜାପଣ୍ଡା ଏହି ତିନୋଟି ଆଜ୍ଞାମାଳକୁ ରଥଖଳାରେ ଅର୍ପଣ କରିଥିଲେ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ପୂଜା ବିଧି ମନ୍ତ୍ରରେ ରଥଖଳାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତିନିରଥ ମୁଖ୍ଯ ବିଶ୍ୱକର୍ମା ଶାଢିବନ୍ଧା ନୀତି ଅନୁଷ୍ଠିତ ହୋଇଥିଲା । ରୂପକାର, କମାର, ଚିତ୍ରକର ଓ ଭୋଇ ସେବକ ମାନେ ଉପସ୍ଥିତ ରହିଥିଲେ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ଅନୁଯାଇ ରଥ ନିର୍ମାଣ କରାଯିବ । ଏଥିରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂଙ୍କ ସମେତ ବରିଷ୍ଠ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
