ପୁରୀ: ମଙ୍ଗଳବାର ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଚନ୍ଦନପୁର ନିକଟସ୍ଥ ଶିରୁଳି ମହାବୀରଙ୍କ ଜନ୍ମ ଜୟନ୍ତୀ ମଧ୍ଯ ନିଷ୍ଠା ଓ ପବିତ୍ରତା ସହ ପାଳିତ ହୋଇଯାଇଛି । ଶିରୁଳି ମହାବୀରଙ୍କ ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।। ଭକ୍ତ ମାନେ ବ୍ଯାରିକେଡରେ ଧାଡିରେ ଶୃଙ୍ଖଳିତ ଭାବେ ଯାଇ ମହାବୀରଙ୍କ ମନ୍ଦିରରେ ଦୀପ ବସାଇ ଦର୍ଶନ କରିଥିଲେ । ଘଣ୍ଟ ଘଣ୍ଟା, ଜୟ ହନୁମାନ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର । ଧୂପଦୀପ ଓ ସୁଗନ୍ଧିତ ପୁଷ୍ପ ବାସ୍ନାରେ ମହକୁଥିଲା ପୀଠ ପରିସର । ମନ୍ଦିର ଭିତରେ ଓ ବାହାରେ ଭକ୍ତ ମାନେ ଚୁଡାଘଷା କରୁଥିବା ଦେଖିବାକୁ ମିଳିଥିଲା ।ମହାବୀରଙ୍କ ସର୍ବାଙ୍ଗ ଶରୀର ମାଜଣା ପାଇଁ ଖିର, ଦହି, ମହୁ, ଘିଅ, ଚାମିଲି, ଚୂଆ, ରାଶିତେଲ, ଗଙ୍ଗାଜଳ, ଗୋଲାପ ଜଳ, ଜାଇଫଳ, କର୍ପୁର, କେଶର, ଚନ୍ଦନ, କସ୍ତୁରୀ, ରକ୍ତ ଚନ୍ଦନ, ସିନ୍ଦୁର, ଅଗୁରୁ, ଅତର, ନୂତନ ବସ୍ତ୍ର,ଭୂଷଣ ଫୁଲ, ତୁଳସୀ, ତୁଳସୀ ହାର, ପୁଷ୍ପ ହାର ଆଦି ବ୍ଯବହୃତ ହୋଇଥିଲା । ମନ୍ଦିର ଦ୍ୱାରଫିଟା ଅବକାଶ ମଇଲମ ଓ ବାଳଭୋଗ ପରେ ବିଭିନ୍ନ ନୀତିକାନ୍ତି ହୋଇ ସର୍ବସାଧାରଣ ଦର୍ଶନ ବ୍ଯବସ୍ଥା କରାଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପର୍ଯ୍ୟଟକ ଓ ଭକ୍ତଙ୍କ ସୁବିଧା ପାଇଁ ରନ୍ଧାଖାଦ୍ଯ, ପଣା, ପାଣି, ଲେମ୍ବୁ ସର୍ବତ, ଦହି ସର୍ବତ ଆଦି ବଣ୍ଟନ କରାଯାଇଥିଲା । ମନ୍ଦିର ବାହାରେ ଓ ଭିତରେ ଭୋଗ, ଦୀପ,ଫୁଲ, ମହାବୀରଙ୍କ ସିନ୍ଦୁର ଆଦି ଭୋଗ ସାମଗ୍ରୀ ବିକ୍ରି ହେଉଥିଲା । ପଡିଆରେ ଖେଳନା ଦୋକାନ, ଆଇସ୍କ୍ରିମ, ଦହିବରା ଆଳୁଦମ, ସମେତ ମିଠା ଦୋକାନ ଚଳଚଞ୍ଚଳ ହୋଇଉଠିଥିଲା । ବାଇକ ରଖିବା ଓ କାର ରଖିବା ପାଇଁ ପାର୍କିଙ୍ଗର ବ୍ଯବସ୍ଥା ହୋଇଥିଲା । ଆଖପାଖ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଭକ୍ତ ଆସୁଥିବା ଦେଖାଯାଇଥିଲା । ଏହି ଅବସରରେ ଶ୍ରୀ ଶ୍ରୀ ମହାବୀର ଜୟନ୍ତୀ ସମିତି ପକ୍ଷରୁ ଦଶ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ମାନଙ୍କୁ ନିଶୁଳ୍କ ପ୍ରସାଦ ବଣ୍ଟନ ସହ ନିରବଛିନ୍ନ ପାନୀୟଜଳ ବଣ୍ଟନ କରାଯାଇଥିଲା । ଏଥିରେ ସମିତିର ତତ୍ତ୍ୱାବଧାରକ ତଥା ମାର୍ଗଦର୍ଶକ ଶିଳ୍ପପତି ଓ ସମାଜସେବୀ ଡ. ନାରାୟଣ ପାତ୍ର, ସମିତିର ଉପଦେଷ୍ଟା ପ୍ରଦ୍ୟୁମ୍ନ ମିଶ୍ରଙ୍କ ତତ୍ୱାବଧାନରେ ସମିତିର ପ୍ରତିଷ୍ଠାତା ପ୍ରକାଶ ଚନ୍ଦ୍ର ଦାସ, ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ କୁମାର ବରାଳ, ଉପସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଧନେଶ୍ୱର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖାଦ୍ଯ ବଣ୍ଟନ ପରିଚାଳନା କରିଥିବା ବେଳେ କେଶବ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ପ୍ରଧାନ, ଶିବ ପ୍ରସାଦ ସାହୁ, ସଞ୍ଜୟ କୁମାର ସ୍ୱାଇଁ,ବସନ୍ତ ପରିଡା, ପ୍ରକାଶ ପ୍ରଧାନ, ଇଶ୍ୱର ସାହୁ, ଚିତ୍ତରଞ୍ଜନ ସାମନ୍ତରାୟ,ସତ୍ଯବାନ ପ୍ରଧାନ, ଶତ୍ରୁଘ୍ନ ମହାରଣା, ବାବନ ବିଶ୍ୱାଳ, ସଞ୍ଜୟ କୁମାର ନାୟକ, ଭାସ୍କର ଦଳାଇ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଦ୍ଯ ବିତରଣରେ ସହଯୋଗ କରିଥିଲେ । ଅନ୍ନ, ଡାଲମା, ମିକ୍ସ ତରକାରୀ ଓ ଟମାଟୁ ଖଟା ଭକ୍ତ ମାନେ ପ୍ରସାଦ ସେବନ କରି ଖୁସିବ୍ୟକ୍ତ କରିଥିଲେ ଓ ଅନୁଷ୍ଠାନର ଏହି ଧାର୍ମିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହାବୀରଙ୍କ ଦର୍ଶନ ସହ ଅନ୍ନପ୍ରସାଦ ସେବନ କରି ସୁଖଦ ଅନୁଭବ କରି ଘରକୁ ବାହୁଡିଥିଲେ । ମନ୍ଦିର ଟ୍ରଷ୍ଟ କମିଟ ,ସେବାୟତ ଓ ସ୍ୱେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ସମସ୍ତ ବ୍ଯବସ୍ଥା କରାଯାଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା ।
