ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ା ଜଗତରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ହକି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ। ଏନେଇ ସଭାପତି ଦିଲ୍ଲୀପ ତିର୍କୀଙ୍କ ପାଖକୁ ଏକ ବେନାମୀ ମେଲ୍ ଆସିବା ପରେ କ୍ରୀଡ଼ା ମହଲରେ ହଇଚଇ ସୃଷ୍ଟି ହୋଇଛି। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଆନ୍ତର୍ଜାତୀୟ ଅଭିଯୋଗ କମିଟି ନିର୍ଦ୍ଦେଶକ କଳ୍ପନା ଶର୍ମାଙ୍କ ନିକଟକୁ ଏକ ଇମେଲ୍ ପଠାଯାଇଛି। ଏହି ମେଲ୍ରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମହିଳା କୋଚ୍, ଖେଳାଳି ଓ ଅଧିକାରୀଙ୍କ ପ୍ରତି ଅଶୋଭନୀୟ ଆଚରଣର ଅଭିଯୋଗ ହୋଇଛି। ଇମେଲ୍ରେ ଉଲ୍ଲେଖ କରାଯାଇଛି ଯେ, ଅଭିଯୁକ୍ତ ଅଧିକାରୀ ବାରମ୍ବାର ମହିଳାମାନଙ୍କୁ ଅଯଥା କଲ୍ କରୁଥିଲେ, ଅନୁପଯୁକ୍ତ ଫଟୋ ମାଗୁଥିଲେ ଏବଂ ତାଙ୍କ କଥାରେ ସମ୍ମତ ନହେଲେ କ୍ୟାରିୟର ଶେଷ କରିଦେବାକୁ ଧମକ ଦେଉଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଅଧିକାରୀଙ୍କୁ ୨୦୨୩ ମସିହାରେ ସମାନ ଅଭିଯୋଗ ପାଇଁ ନିଲମ୍ବିତ କରାଯାଇଥିଲା, କିନ୍ତୁ ଗତବର୍ଷ ତାଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯାଇଥିଲା। ହାଇଦ୍ରାବାଦରେ ଅନୁଷ୍ଠିତ ୨୦୨୬ ଏଫଆଇଏଚ ମହିଳା ବିଶ୍ୱକପ୍ କ୍ୱାଲିଫାୟର୍ସରେ ମଧ୍ୟ ସେ ସକ୍ରିୟ ଥିଲେ। ଅଭିଯୋଗକାରୀ ଏସ୍ଏଆଇ ନିକଟରେ ଏହି ଘଟଣାର ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଏହାସହ ଯେଉଁମାନେ ଏହି ବିଷୟରେ ମୁହଁ ଖୋଲିବାକୁ ଚାହୁଁଛନ୍ତି, ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଏହା କୌଣସି ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ର ମହିଳା କମିଟି ମୁଖ୍ୟ ମଧ୍ୟ ସଭାପତି କଲ୍ୟାଣ ଚୌବେଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେହିପରି ଗତ ଏପ୍ରିଲ ୩୦ରେ ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ଏକ ଦଶନ୍ଧି ମଧ୍ୟରେ ଝଇଓ କୋଚ୍ ଏବଂ କର୍ମଚାରୀଙ୍କ ବିରୋଧରେ ୩୩ଟି ଯୌନ ଶୋଷଣ ମାମଲା ପଞ୍ଜିକୃତ ହୋଇଛି।
