ନୂଆଦିଲ୍ଲୀ : ଭାରତୀୟ ଟିମ ତଥା ଆଇପିଇଏ ପ୍ରାଞ୍ଚାଇଜ୍ ସନ ରାଇଜର୍ସ ହାଇଦ୍ରାବାଦର ଓପନର ଅଭିଷେକ ଶର୍ମାଙ୍କୁ ବଡ଼ ଝଟକା। ନିୟମ ଉଲ୍ଲଙ୍ଘନ କରିଥିବା ଅଭିଷେକ ଶର୍ମାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଆଇପିଏଲ। ଗୁରୁବାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଅଭିଷେକ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମ୍ୟାଚ୍ ସମୟରେ ସେ ଅଭଦ୍ର ଭାଷାର ପ୍ରୟୋଗ କରିଥିବାରୁ ତାଙ୍କ ମ୍ୟାଚ୍ ଫି’କୁ ୨୫% କାଟି ଦିଆଯାଇଛି। ମ୍ୟାଚ୍ ରେଫରୀଙ୍କ କହିବା କଥା ଯେ ଅଭିଷେକ ଶର୍ମା ଆଇପିଏଲ ଆଚରଣ ବିଧିର ଧାରା ୨.୩କୁ ଉଲ୍ଲଙ୍ଘନ କରିଛନ୍ତି। ସେ ଅଭଦ୍ର ଭାଷା ପ୍ରୟୋଗ କରି ଅଣଖେଳୁଆଡ଼ ଆଚରଣ ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କ ମ୍ୟାଚ ଫି’କୁ ୨୫% କାଟ କରାଯାଇଛି। ମ୍ୟାଚ୍ ରେଫରୀଙ୍କ ଏହି ଚାର୍ଜକୁ ଅଭିଷେକ ଶର୍ମା ଗ୍ରହଣ କରି ନେଇଛନ୍ତି। ଅଭିଷେକ ଶର୍ମାଙ୍କ ମ୍ୟାଚ୍ ଫି’ ୨୫% କଟି ଥିବା ବେଳେ ଆଇପିଏଲ କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି। ଆଚରଣ ବିଧିର ଲେଭଲ ୧ ଅପରାଧରେ ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତି। ମ୍ୟାଚ ରେଫରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଅଭିଷେକ ଶର୍ମା ମାନି ନେଇଥିବାରୁ ଏହାର ଆଉ ବିଧିବଦ୍ଧ ଶୁଣାଣି ହେବ ନାହିଁ ବୋଲି ଆଇପିଏଲ ଗଭର୍ଣ୍ଣିଂ ବଡି ପକ୍ଷରୁ ଜାରି ପ୍ରେମ ବିବୃତିରେ କୁହାଯାଇଛି। ବିବୃତିରେ କେତେବେଳେ ଅଭିଷେକ ଶର୍ମା ଅଭଦ୍ର ଟିପ୍ପଣୀ କରିଥିଲେ, ସେସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ବିଶ୍ୱାସ କରାଯାଉଛି ଯେ ଅଭିଷେକ ଶର୍ମାଙ୍କ କ୍ୟାଚ୍କୁ ବରୁଣ ଚକ୍ରବର୍ତ୍ତୀ ଧରିଥିବା ବେଳେ ଏହାକୁ ଥାର୍ଡ ଅମ୍ପାୟାର ଯାଞ୍ଚ କରିଥିଲେ। ଥାର୍ଡ ଅମ୍ପାୟାର ଯାଞ୍ଚ କରିଥିଲେ ହେଁ କ୍ୟାଚ୍ର ସ୍ପଷ୍ଟତା ଜଣାପଡ଼ି ନଥିଲା। ତଥାପି ଅଭିଷେକ ଶର୍ମାଙ୍କୁ ଆଉଟ ଦିଆଯିବାରୁ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ସେ ଅଭଦ୍ର ଭାଷା ପ୍ରୟୋଗ କରିଥିବା କୁହାଯାଉଛି। ଏଥିପାଇଁ ମ୍ୟାଚ୍ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଅଭିଷେକ ଶର୍ମା ବିଶେଷ କିଛି କରି ପାରି ନଥିଲେ। କିନ୍ତୁ କେକେଆର ବିପକ୍ଷ ମ୍ୟାଚରେ ସେ ୨୧ ବଲରେ ୪୮ ରନ କରିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ହାଇଦ୍ରାବାଦ ୮ ୱିକେଟ ହରାଇ ୨୨୬ ରନ କରିଥିଲା। ଏହାର ଜବାବରେ କେକେଆର ୧୬ ଓଭରରେ ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା। ଏବେ ହାଇଦ୍ରାବାଦ ଏପ୍ରିଲ ୫ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁଭେଟିବ।
