ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ସ୍ୱାଧୀନତା ଦିବସରେ କଂଗ୍ରେସ ଉପରେ ଜାତୀୟ ଗୀତ “ବନ୍ଦେ ମାତରମ୍’ର ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି ଏବଂ ଦଳକୁ ଜନତାଙ୍କ ନିକଟରେ ଏବଂ ଗୀତ ଲେଖିଥିବା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ଚିତ୍ତୋରଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ମୁଖ୍ୟାଳୟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଦଳର ନେତା ସୋନିଆ ଗାନ୍ଧୀ ଦଳ ଅଧ୍ୟକ୍ଷଙ୍କୁ “ବନ୍ଦେ ମାତରମ୍’କୁ ମଝି ରାସ୍ତାରେ ବନ୍ଦ କରିବାକୁ କହିଥିଲେ। “ଆମେ ସମସ୍ତେ ଟେଲିଭିଜନରେ ଏହା ଦେଖିଛୁ,’ ଶାହ କହିଛନ୍ତି, ସୋନିଆ ଗାନ୍ଧୀ ଜନତାଙ୍କ ନିକଟରେ ଏବଂ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଆତ୍ମାକୁ କ୍ଷମା ମାଗିବା ଉଚିତ। “ଯଦି କୌଣସି ଲଜ୍ଜା ବାକି ଅଛି, ତେବେ ଆପଣ ହାତ ଯୋଡ଼ି ବଙ୍କିମ ବାବୁଙ୍କ ଅମର ଆତ୍ମା ଏବଂ ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। ଶାହ କଂଗ୍ରେସ ଉପରେ “ଭୋଟ୍-ବ୍ୟାଙ୍କ ରାଜନୀତି’ ଯୋଗୁଁ ଜାତୀୟ ଗୀତକୁ ଭୁଲିଯାଇଥିବା ଅଭିଯୋଗ ଆଣି ସ୍ୱାଧୀନତା ସଂଗ୍ରାମ ସମୟରେ “ବନ୍ଦେ ମାତରମ୍’ର ଭୂମିକାକୁ ମନେ ପକାଇ କହିଛନ୍ତି, ହଜାର ହଜାର ଲୋକ ଏହାକୁ ଗାଇବା ପାଇଁ ଗୁଳି, ଲାଠି ଏବଂ ଜେଲଦଣ୍ଡର ସମ୍ମୁଖୀନ ହୋଇଥିଲେ।
