ପୁରୀ: ଆଜି ବଡ଼ ଏକାଦଶୀ ଅବସରରେ ବଡ଼ଦେଉଳ ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତମାନଙ୍କୁ ଆର୍କଷଣୀୟ ସୁନାବେଶରେ ଦର୍ଶନ ଦେଉଛନ୍ତି। ସୁନାବେଶ ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଶ୍ରୀକ୍ଷେତ୍ର ଜନାକୀର୍ଣ୍ଣ ହୋଇ ଉଠିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ ମାର୍କେଟଛକଠାରୁ ବ୍ୟାରିକେଡରେ ପ୍ରବେଶ କରି ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ବହୁସଂଖ୍ୟାରେ ପୋଲିସ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱରପଟୁ ପୁରୀକୁ ଭିଡ଼ ଲାଗି ରହିଛି। ହଜାର ହଜାର ସଂଖ୍ୟାରେ ଗାଡ଼ି ପୁରୀକୁ ଛୁଟିଛି। ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁନାବେଶ ରଥଯାତ୍ରାର ଏକ ପ୍ରମୁଖ ନୀତି। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜନ୍ନାଥ ମହଣ ମହଣ ସୁନା ଅଳଙ୍କାରେ ଭୂଷିତ ହୋଇ ଝଟକଛନ୍ତି। ଠାକୁମାନେ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରୀଟି, ଆଡ଼କାନି, କମରପଟି, ହରିଡ଼ାମାଳି, ବାହାଡ଼ାମାଲି ଆଦିରେ ଆଭୂଷିତ ହୋଇଛନ୍ତି। ଗବେଷକମାନଙ୍କ ମତରେ ମହାପ୍ରଭୁଙ୍କୁ ପ୍ରାୟ ୩୦ ପ୍ରକାରର ଅଳଙ୍କାରରେ ଭୂଷିତ ହୁଅନ୍ତି। ଏହାର ଓଜନ ୨୦୮ କିଲୋଗ୍ରାମ ହେବ ବୋଲି କୁହାଯାଏ। ମହାପ୍ରଭୁ ବର୍ଷକୁ ୫ ଥର ସୁନାବେଶ ହୋଇଥାନ୍ତି। ସେଥିରୁ ୪ ଥର ରତ୍ନସିଂହାସନରେ ସଂପନ୍ନ ହେଉଥିବାବେଳେ କେବଳ ଆଷାଢ଼ ଶୁକ୍ଲ ଏକାଦଶୀ ଅର୍ଥାତ୍ ବଡ ଼ଏକାଦେଶୀ ଦିନ ରଥ ଉପରେ ସୁନାବେଶ ହୋଇଥାନ୍ତି। ଏହି ବେଶର ଅନ୍ୟନାମ ରାଜାଧିରାଜ ବେଶ ବା ବଡ଼ ତଢ଼ାଉ ବେଶ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ୧୪୬୦ ମସିହାରେ ରାଜା କପିଳେନ୍ଦ୍ର ଦେବଙ୍କ ଯୁଗରୁ ଠାକୁରମାନଙ୍କୁ ସୁନା ବେଶ କରାଯିବାର ପରମ୍ପରା ଚଳି ଆସୁଛି। କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ ପରେ ୧୬ଟି ହାତୀ ପିଠିରେ ମହଣ ମହଣ ସ୍ୱର୍ଣ୍ଣ ଓ ହୀରା ଅଳଙ୍କାର ମହାପ୍ରଭୁଙ୍କୁ ଦାନ କରିଥିଲେ। ଆଉ କେହି କେହି ଅନଙ୍ଗ ଭୀମଦେବଙ୍କ ଅମଳରୁ ସୁନାବେଶ ଚାଲୁ ରହିଥିବା କୁହାଯାଏ।
