ଭୁବନେଶ୍ୱର: ରାଜ୍ୟସଭା ପାଇଁ ଶାସକ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଶନିବାର ବିରୋଧୀ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିଛନ୍ତି। ସଂତୃପ୍ତ ବିଜେଡିର ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ସାଧାରଣ ପ୍ରାର୍ଥୀ ଭାବେ ନବୀନ ଘୋଷଣା କରିଛନ୍ତି। ଏହା ସହ ଦତ୍ତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି। ନାମ ଘୋଷଣା ପରେ ସଂତୃପ୍ତ ଏବଂ ଦତ୍ତେଶ୍ୱର ବିଜେଡି ସୁପ୍ରିମୋଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ନିଜ ପ୍ରତିକ୍ର୍ରି୍ରୟାରେ ସଂତୃପ୍ତ କହିଛନ୍ତି ଯେ, ନବୀନ ଦେଇଥିବା ଗୁରୁଦାୟିତ୍ୱକୁ ସେ ସୁଚାରୁରୂପେ ସମ୍ପାଦନ କରବେ। ସେହିପରି ଦତ୍ତେଶ୍ୱର କହିଛନ୍ତି, ସେ ସବୁ ଦଳ ଠାରୁ ସମର୍ଥନ ପାଇବା ପାଇଁ ତାଙ୍କର ଆଶା ରହିଛି। ସୂଚନାଯୋଗ୍ୟ ଯେ,ସଂତୃପ୍ତ ବର୍ତ୍ତମାନ ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେଡିରୁ କଟକ ଲୋକସଭା ଆସନରୁ ଲଢ଼ି ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ପରାଜିତ ହୋଇଥିଲେ। ଅନ୍ୟପକ୍ଷରେ ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଡାକ୍ତର ଦତ୍ତେଶ୍ୱର। ସେ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ଡାକ୍ତର ଟିମ୍ର ମୁଖ୍ୟ ଥିଲେ। ସଂପ୍ରତି ରାଜ୍ୟସଭାରେ ଓଡ଼ିଶାର ୪ଟି ଆସନ ଖାଲିହେବାକୁ ଯାଉଛି। ମାର୍ଚ୍ଚ ୧୬ରେ ରାଜ୍ୟସଭା ଆସନ ପାଇଁ ମତଦାନ ହେବ ବୋଲି କାର୍ଯ୍ୟସୂଚୀ ରହିଛି।
