ନୂଆଦିଲ୍ଲୀ: ଇସ୍ରାଏଲ ଇରାନ ବିରୁଦ୍ଧରେ ଏକ ପ୍ରତିରୋଧାତ୍ମକ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ତେହେରାନରେ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ ହୋଇଛି। ସେଠାରେ ଆକାଶରେ ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଇସ୍ରାଏଲ ସେନା କାର୍ଯ୍ୟସ୍ଥଳ, ସ୍କୁଲ ବନ୍ଦ ଘୋଷଣା କରିଛି। ଇସ୍ରାଏଲ ଆକ୍ରମଣ ପରେ ଇରାନରେ ମୋବାଇଲ୍ ଫୋନ୍ ସେବା ବନ୍ଦ କରିଦିଆଯାଇଛି। ଶନିବାର ଇରାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆମେରିକା ସହିତ ସମନ୍ୱିତ ଥିଲା ବୋଲି ଇସ୍ରାଏଲର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଏହି ଅଭିଯାନ ମାସକ ଆଗରୁ ଯୋଜନା କରାଯାଇଥିଲା ଏବଂ ଆକ୍ରମଣ ତାରିଖ ସପ୍ତାହ ପୂର୍ବରୁ ସ୍ଥିର କରାଯାଇଥିଲା। ସରକାରୀ ସୂଚନା ଅନୁଯାୟୀ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ତେହେରାନରେ ନାହାଁନ୍ତି ଏବଂ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଦେଶର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଶନିବାର ଇସ୍ରାଏଲ ବେସାମରିକ ବିମାନ ପାଇଁ ଏହାର ଆକାଶ ସୀମା ବନ୍ଦ କରିଦେଇଛି। କାତାରରେ ଥିବା ଆମେରିକୀୟ ଦୂତାବାସ ସମସ୍ତ କର୍ମଚାରୀଙ୍କ ପାଇଁ ଆଶ୍ରୟସ୍ଥଳରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି।
