କାଠମାଣ୍ଡୁ: ନେପାଳର ଧାଡିଂ ଜିଲ୍ଲାରେ ପୋଖରାରୁ ରାଜଧାନୀ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସୋମବାର ପ୍ରତ୍ୟୁଷରେ ତ୍ରିଶୂଳି ନଦୀରେ ଖସି ପଡ଼ିବାରୁ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ବ୍ରିଟିଶ ନାଗରିକ ଅଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ଜଣେ ଚୀନ୍ ନାଗରିକ, ନ୍ୟୁଜିଲାଣ୍ଡର ଜଣେ ୨୭ ବର୍ଷୀୟ ମହିଳା ରହିଛନ୍ତି। ଆହତମାନଙ୍କୁ ଧାଡିଙ୍ଗର ସ୍ଥାନୀୟ ହସ୍ପିଟାଲ ଏବଂ କାଠମାଣ୍ଡୁରକୁ ସ୍ଥାନାନ୍ତରିତ କରାଯାଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ଭାଇସିଗୌଡ଼ା ଅଞ୍ଚଳରେ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ୪୪ ଜଣ ଯାତ୍ରୀ ଥିଲେ। ବସ୍ଟି ପୃଥ୍ୱୀ ରାଜପଥରୁ ଓଲଟିଯାଇ ପ୍ରାୟ ୩୦୦ ମିଟର ତଳକୁ ନଦୀକୂଳକୁ ଖସି ପଡ଼ିଲା। ଧାଡିଂର ମୁଖ୍ୟ ଜିଲ୍ଲା ଅଧିକାରୀ ବିଜୟ ରାଜ ସୁବେଦୀ କହିଛନ୍ତି, ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ସକାଳ ପ୍ରାୟ ୬ଟା ୩୦ରେ ଶେଷ ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହିତ ନେପାଳ ପୋଲିସ, ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳୀ ସେନାର କର୍ମଚାରୀମାନଙ୍କୁ ରାତିସାରା ନିୟୋଜିତ କରାଯାଇଥିଲା। ଅନ୍ଧାର, ଦୁର୍ଗମ ଭୂମି ଏବଂ ପର୍ଯ୍ୟାପ୍ତ ଉଦ୍ଧାର ଉପକରଣର ଅଭାବ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା।
