ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଜିମ୍ବାୱେ । ଅନ୍ତିମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଦଳ । ୬ ୱିକେଟରେ ମ୍ୟାଚ୍ ବିଜୟୀ ହେବା ସହ ଗ୍ରୁପ୍ବି ଟେବୁଲ୍ ଟପ୍ପର ସହ ସୁପର-୮କୁ ଓହ୍ଲାଇବ । ୪ ମ୍ୟାଚରୁ ୩ ବିଜୟ ହାସଲ କରିଛି ଜିମ୍ବାୱେ । ଗୁରୁବାର କଲମ୍ବୋରେ ଖେଳାଯାଇଥିବା ଲିଗ୍ ମ୍ୟାଚରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପୂର୍ବରୁ କଙ୍ଗାରୁ ଦଳକୁ ହରାଇଥିବା ଏହି ଦଳ ଏବେ ଭଲ ପ୍ରଦର୍ଶନ ଜାରି ରଖିଛି । ସୁପର-୮ରେ କିଭଳି ପ୍ରଦର୍ଶନ କରିବ ଏବେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୭ ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା । ଯେଉଁଥିରେ ପଥୁମ୍ ନିଶାଙ୍କ ୬୨ ରନ୍ ପାଳି ସାମିଲ୍ ରହିଛି । ତେବେ ୧୭୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଜିମ୍ବାୱେ ୩ଟି ବଲ୍ ପୂର୍ବରୁ ହାସଲ କରି ନେଇଛି । ୬ ୱିକେଟ୍ ବିନିମୟରେ ଏହି ମ୍ୟାଚକୁ ଜିତିଥିବାବେଳେ ସିକନ୍ଦର ରାଜା ୨୬ ବଲରୁ ୪୫ ରନର ମ୍ୟାଚ ବିଜୟ ପାଳି ଖେଳି ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେପଟେ ଚଳିତ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳି ଦଳ ସୁପର-୮ରୁ ବାଦ ପଡ଼ିଛି । ଜିମ୍ବାୱେ ଏବଂ ଶ୍ରୀଲଙ୍କାଠାରୁ ହାରିବା ପରେ ଏହି ଶକ୍ତିଶାଳି ଦଳ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରୁ ବାଦ ପଡ଼ଛି । ଜିମ୍ବାୱେ ଏବେ ଗ୍ରୁପର ଶୀର୍ଷରେ ରହିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିଭଳି ପ୍ରଦର୍ଶନ କରିବ ଏହା ଉପରେ ସମଗ୍ର କ୍ରିକେଟପ୍ରେମୀଙ୍କ ନଜର ରହିଛି ।
