କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ପାଉଁସ ପରିବହନ କରୁଥିବା ହାଇୱା ଗାଡ଼ିର ବେପରୁଆ ଚାଳନା ଯୋଗୁଁ ପୁଣି ଏକ ନିରୀହ ଜୀବନ ଚାଲିଯାଇଛି। ଗତ ସୋମବାର ସନ୍ଧ୍ୟାରେ ହରେକୃଷ୍ଣପୁର ଛକ ନିକଟରେ ଏକ ପାଉଁସ ବୋଝେଇ ହାଇୱା ଧକ୍କାରେ ଛତିଗୁଡା ନିକଟସ୍ଥ ପାଣିମୁଣ୍ଡା ଗ୍ରାମର ଯୁବକ ଶମ୍ଭୁ ଗୌଡ଼ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ପରେ ବିଶାଖାପଟଣାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବିଳମ୍ବିତ ରାତିରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ଲାଞ୍ଜିଗଡ଼ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମଙ୍ଗଳବାର ସକାଳେ ମୃତଦେହକୁ ଆଣି ବେଦାନ୍ତ କାରଖାନାର ଫାଟକ ସମ୍ମୁଖରେ ରଖି ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ବେଦାନ୍ତ କମ୍ପାନୀର ଅଧିକାରୀମାନେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରୁଥିବା ସୂଚନା ମିଳିଛି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ବେଦାନ୍ତ କାରଖାନାରୁ ପାଉଁସ ପରିବହନ କରୁଥିବା ହାଇୱା ଗାଡ଼ିଗୁଡ଼ିକ ଦୀର୍ଘଦିନ ଧରି ବେପରୁଆ ଗତିରେ ଚଳାଚଳ କରୁଛି। ଧୂଳି-ଧୂଆଁ ସହ ଭାରୀ ଯାନର ଅନିୟନ୍ତ୍ରିତ ଚଳାଚଳ ଯୋଗୁଁ ସାଧାରଣ ପଥଚାରୀ ଓ ଦୁଇଚକିଆ ଚାଳକଙ୍କ ଜୀବନ ସବୁବେଳେ ବିପଦରେ ରହୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗତି ନିୟନ୍ତ୍ରଣ କିମ୍ବା ସଡ଼କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଲୋକେ କହିଛନ୍ତି।ଏହି ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଭିଯୋଗ ରହିଛି ଯେ, ଲାଇଟ ମୋଟର ଭେହିକଲ (ଖଗଠ) ଲାଇସେନ୍ସ ଧାରୀଙ୍କ ଦ୍ୱାରା ଭାରୀ ଯାନ ଚଳାଚଳ ଏବଂ ପରିବହନ ନିୟମର କଡ଼ା ଯାଞ୍ଚ ନ ହେବାରୁ ଏଭଳି ଘଟଣା ବଢ଼ୁଛି। ତେବେ ଏହି ଅଭିଯୋଗର ସରକାରୀ ପୁଷ୍ଟି ହୋଇନାହିଁ। ମୃତକଙ୍କ ପରିବାର ଉପଯୁକ୍ତ କ୍ଷତିପୂରଣ, ଦୋଷୀ ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ହାଇୱା ଗାଡ଼ିର ବେପରୁଆ ଚଳାଚଳ ଉପରେ ନିୟନ୍ତ୍ରଣ ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପୁଲିସ ମୁତୟନ କରାଯାଇଥିବା ବେଳେ ଆଲୋଚନା ଜାରି ରହିଛି।
