ଫୁଲବାଣୀ: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଗୁରୁବାର ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଯାଇଛି। ସହର ବିକାଶ ପ୍ରକ୍ରିୟାରେ ସାଧାରଣ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବା ଏବଂ ପୌର ସେବାକୁ ଅଧିକ ଜନମୁଖୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି ଆଗନ୍ତୁକ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହରାଞ୍ଚଳର ସାମଗ୍ରିକ ବିକାଶରେ ନାଗରିକଙ୍କ ସକ୍ରିୟ ଭାଗିଦାରୀ ଓ ପ୍ରଶାସନ ସହ ଜନସାଧାରଣଙ୍କ ନିବିଡ଼ ସମନ୍ୱୟର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ। ଆୟୋଜିତ ସମାବେଶରେ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି, ସାଂସଦ ପ୍ରତିନିଧି ଶ୍ରୀ ଅଜିତ କୁମାର ପଟ୍ଟନାୟକ ଏବଂ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଓ ବିକାଶମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସହରର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ ଓ ନାଗରିକଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ ଯୋଜନାର ଭତ୍ତା ଏବଂ ନୂତନ ରେସନ କାର୍ଡ ବଣ୍ଟନ କରାଯାଇଥିଲା। ଏହାସହ ପୌର ସେବାରେ ସ୍ୱଚ୍ଛତା, ଜବାବଦିହିତା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଛଜ କୋଡ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ନାଗରିକମାନେ ସହଜରେ ନିଜର ଅଭିଯୋଗ, ପରାମର୍ଶ ଏବଂ ବିକାଶ ସମ୍ପର୍କିତ ମତାମତ ପୌର ପ୍ରଶାସନ ନିକଟରେ ପହଞ୍ଚାଇ ପାରିବେ।ଏହି ଅବସରରେ ପୌର ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରାଙ୍କ ସମେତ କାଉନସିଲର ସୁଶ୍ରୀ ମାଧବୀ ମିଶ୍ର, ସୁଶ୍ରୀ ବିରାଜ କହଁର, ଶ୍ରୀ ରାଜେନ୍ଦ୍ର ପାଢ଼ୀ, ଶ୍ରୀ ଶ୍ରୀବତ୍ସ ବେହେରା, ଶ୍ରୀମତୀ କୁନି ସେଠୀ ଏବଂ ଅନ୍ୟାନ୍ୟ କାଉନସିଲର ଉପସ୍ଥିତ ରହିଥିଲେ। ଏଥିସହ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅତିନିଏଲ ନାଇକା, ପୌର ପରିଷଦର କର୍ମଚାରୀ,ବିଭିନ୍ନ ବିଭାଗର ଅଧିକାରୀ , ଅଙ୍ଗନୱାଡି ଓ ଆଶା କର୍ମୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ସଂଖ୍ୟକ ସହରବାସୀ ଯୋଗଦେଇଥିଲେ। ଶେଷରେ ଶ୍ରୀ ସତ୍ୟ ପ୍ରକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
