ବାରିପଦା /କରଞ୍ଜିଆ: କରଞ୍ଜିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ୪୩ଟି ହାତୀ ଅବସ୍ଥାନ କରୁଥିବା ବେଳେ ସେମାନଙ୍କ ଉପଦ୍ରବ ଲଗାତାର ଜାରି ରହିଛି। ବିଶେଷକରି ଝାଡ଼ଖଣ୍ଡରୁ ଆସିଥିବା ହାତୀପଲ ଗାଁମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ସୂଚନା ଅନୁସାରେ, କିଛି ଦିନ ତଳେ ଝାଡ଼ଖଣ୍ଡୀ ହାତୀପଲ କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କରିଥିଲେ। ଏହି ହାତୀମାନେ କେବେ କେନ୍ଦୁଝର ଅଞ୍ଚଳକୁ ଯାଉଥିବା ବେଳେ ଆଉ କେବେ ବୈତରଣୀ ନଦୀ ପାର ହୋଇ ଉଭୟ କୂଳରେ ଥିବା ଖରାଟିଆ ପାଚି ଆସୁଥିବା ଧାନ ଫସଲ ଖାଇବା ସହ ଦଳିଚକଟି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।ଏହାଛଡ଼ା ବିଳମ୍ବିତ ରାତି ହାତୀପଲ କେରକେରା ଗ୍ରାମରେ ପ୍ରବେଶ କରି ଉପେନ୍ଦ୍ରନାଥ ନାଏକଙ୍କ ଘର ଭାଙ୍ଗି ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇଦେଇଥିବା ଅଭିଯୋଗ ହୋଇଛି।ବନ ବିଭାଗ ପକ୍ଷରୁ କର୍ମଚାରୀମାନେ ହାତୀ ଅବସ୍ଥିତ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରୁଥିବା ବେଳେ ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି।
