ରାଞ୍ଚି: ଏକ ଐତିହାସିକ ରାୟରେ, ଝାଡ଼ଖଣ୍ଡ ହାଇକୋର୍ଟ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ବିବାଦୀୟ ଦୁଇ ଆଙ୍ଗୁଠି ପରୀକ୍ଷାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭ୍ୟାସ ଦୁଷ୍କର୍ମ ପୀଡିତାଙ୍କ ଗୋପନୀୟତା, ଶାରୀରିକ ଅଖଣ୍ଡତା ଏବଂ ମର୍ଯ୍ୟାଦା ଉଲ୍ଲଂଘନ କରେ ବୋଲି ଦର୍ଶାଇ।
ମୁଖ୍ୟ ବିଚାରପତି ଏମ୍ ଏସ୍ ସୋନକ ଏବଂ ବିଚାରପତି ରାଜେଶ ଶଙ୍କରଙ୍କ ଏକ ଡିଭିଜନ ବେଞ୍ଚ ବଳାତ୍କାର ପୀଡିତାଙ୍କ ସୁରକ୍ଷା ଏବଂ ପୁନର୍ବାସନ ସମ୍ପର୍କିତ ଏକ ସ୍ୱତଃପ୍ରବୃତ୍ତ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ଗୃହ, ଜେଲ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲ/ଚିକିତ୍ସା ପ୍ରତିଷ୍ଠାନରେ ଦୁଇ ଆଙ୍ଗୁଠି ପରୀକ୍ଷା ନିଷେଧ କରୁଥିବା ସର୍କୁଲାର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହା ସହିତ ଆହୁରି ନିର୍ଦ୍ଦେଶ ଦିଆଯାଇଛି ଯେ ଡାକ୍ତର ଏବଂ ପାରା ମେଡିକାଲ୍ କର୍ମଚାରୀ ସମେତ ଯେକୌଣସି ବ୍ୟକ୍ତି ଦ୍ୱାରା ଉକ୍ତ ସର୍କୁଲାର ଉଲ୍ଲଂଘନକୁ ବୃତ୍ତିଗତ ଅସଦାଚରଣ ଭାବରେ ବିବେଚନା କରାଯିବ ଏବଂ ତ୍ରୁଟି କରିଥିବା ବ୍ୟକ୍ତିଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ସର୍କୁଲାରର ଯେକୌଣସି ଉଲ୍ଲଂଘନ ବୃତ୍ତିଗତ ଅସଦାଚରଣ ପରିଗଣିତ ହେବ, ଏବଂ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି। ଏହା ବ୍ୟତୀତ, କୋର୍ଟ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ଜିରୋ ଏଫଆଇଆର ପଞ୍ଜିକରଣ ଏବଂ ବଳାତ୍କାରରୁ ଜନ୍ମିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ଏବଂ କଲ୍ୟାଣକାରୀ ସହାୟତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଅନ୍ତର୍ଭୁକ୍ତ। ଦୁଷ୍କର୍ମରୁ ଜନ୍ମିତ ପିଲାମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି କରିବାକୁ ମଧ୍ୟ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଏପରି ପିଲାମାନେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଆନ୍ତି, ତେବେ ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ।
