ପୁରୀ: ପୁରୀ ଜିଲ୍ଲାର ସମସ୍ତ ବାଳାଶ୍ରମର ଅନ୍ତେବାସୀଙ୍କୁ ନେଇ ଅଙ୍କୁର ସଂଯୋଗ ଗ୍ରୀଷ୍ମ ସାହିତ୍ୟ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରୀଷ୍ମ ଅବକାଶ ଅବସରରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମନୋନିବେଶ କରାଯାଉଛି। ଅଙ୍କୁର ସଂଯୋଗ ଗ୍ରୀଷ୍ମ ସାହିତ୍ୟ ଉତ୍ସବ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ସଂଯୋଗ, କଟକ ଓ ଅଙ୍କୁର ଫାଉଣ୍ଡେସନ ଭୁବନେଶ୍ୱରଙ୍କ ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ପ୍ରୟାସରେ ଏହା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସନ୍ତୋଷ କୁମାର ସେଠୀ ଉପନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୋଗ ଦେଇଥିବା ବେଳେ ଡେପୁଟି କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ, ମହାବୀର ରୁଦ୍ର ନାରାୟଣ ସାହୁ ଅଧ୍ୟକ୍ଷ, ଶିଶୁ ମଙ୍ଗଳ କମିଟି, ସଂଯୋଗର ନିର୍ଦେଶକ ପ୍ରଶାନ୍ତ ପାଲଟାସିଂ, ଅଙ୍କୁର ଫାଉଣ୍ଡେସନ ପ୍ରତିଷ୍ଠାତା ଚିନ୍ମୟୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମିଳିତ ପ୍ରୟାସ ରୂପେ ଏହି କାର୍ଯ୍ୟକ୍ରମର ୧୫ ଦିନ ପୂର୍ବରୁ ଶିଶୁମାନଙ୍କୁ ପିଲାଙ୍କ ଅଙ୍କୁର ପତ୍ରିକା ବଣ୍ଟନ କରାଯାଇଥିଲା। ପିଲାମାନେ ଏହି ପୁସ୍ତକ ପଠନ କରି କବିତା ଆବୃତ୍ତି, ଗଳ୍ପ କଥନ, କୁଇଜ଼, ବହିରୁ ଶିକ୍ଷା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୋଟ ୬୦ ଜଣ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୀଳାଚଳ ସେବା ପ୍ରତିଷ୍ଠାନର ଶିଶୁମାନେ ସବୁଠାରୁ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ସେହି ସଂସ୍ଥାର ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ତମ ମାର୍ଗଦର୍ଶକ ଭାବେ ସମ୍ମାନିତ କରାଯାଇଥିଲା। ମୋଟ ୨୪ ଜଣ ଉତ୍ତିନ୍ନ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ମାନଙ୍କ ମଧ୍ୟରେ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା, ଗଳ୍ପ କଥନ, କବିତା ଆବୃତ୍ତି ଓ ବକ୍ତୃତା ଆଦିରେ ଦକ୍ଷତା ବୃଦ୍ଧି ପାଇଁ ଅବସର ସମୟର ବିନିଯୋଗ ପାଇଁ ପ୍ରୟାସ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ବିଚାରକ ଭାବରେ ଶକ୍ତିପଦ ମିଶ୍ର, ବିଜୟଲକ୍ଷ୍ମୀ ମହାନ୍ତି, ରୁପାଲି ମହାନ୍ତି, ସ୍ନିଗ୍ଧାରାଣୀ ସାହୁ, କମଳା ମହାରଣା ଯୋଗ ଦେଇଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସାରଙ୍ଗ ମହାପାତ୍ର ଅଧିକ୍ଷକ, ଉତ୍କଳ ବାଳାଶ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।
